ନବରାତ୍ରୀର ପ୍ରଥମ ଦିନରୁ ସବୁ ଧର୍ମାନୁଷ୍ଠାନ ଖୋଲିବ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଆସନ୍ତା ୭ ତାରିଖ ତଥା ନବରାତ୍ରୀର ପ୍ରଥମ ଦିନରୁ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଅକ୍ଟୋବର ୨୨ ତାରିଖରୁ ରାଜ୍ୟର ସମସ୍ତ ସିନେମା ହଲ ମଧ୍ୟ ଖୋଲିବ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, “ସବୁ ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କିନ୍ତୁ ସମସ୍ତଙ୍କୁ କଡ଼ାକଡ଼ି ଭାବେ କରୋନା ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ପାଳନ କରିବାକୁ ପଡ଼ିବ।” ମହାମାରୀ କରୋନର ପ୍ରଥମ ଲହର ଥମିବା ପରେ ମହାରାଷ୍ଟ୍ର ସରକାର ଦୀପାବଳି ପରେ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିଲେ। କିନ୍ତୁ ୫ ମାସ ପରେ ଦ୍ୱିତୀୟ ଲହର ଆସିବାରୁ ଏପ୍ରିଲ ମାସରୁ ଏଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା।

ରାଜ୍ୟ ସରକାର ଧର୍ମାନୁଷ୍ଠାନ ପାଇଁ ଜାରି କରିଥିବା ଏସ୍‌ଓପି ଅନୁଯାୟୀ, ସମସ୍ତେ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟ। ଧର୍ମାନୁଷ୍ଠାନ ଭିତରେ କୌଣସି ପ୍ରସାଦ କିମ୍ବା ପବିତ୍ର ଜଳ ଲୋକଙ୍କୁ ଦିଆଯିବ ନାହିଁ। ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନର ଆକାର ଦେଖି ସ୍ଲଟ ବୁକିଂର ବ୍ୟବସ୍ଥା ମଧ୍ୟ ହେବ।

ନିୟମିତ ଧର୍ମାନୁଷ୍ଠାନର ସାନାଟାଇଜ କରାଯିବ। କେହି ବି ପ୍ରତିମୂର୍ତ୍ତି କିମ୍ବା ପବିତ୍ର ବହିକୁ ଛୁଇଁ ପାରିବେ ନାହିଁ ବୋଲି ଏସ୍‌ଓପିରେ ଲେଖାଯାଇଛି। ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ସେଠାରେ କୌଣସି ପ୍ରକାରର ଧର୍ମୀୟ ସମାବେଶ କିମ୍ବା ଉତ୍ସବ ଅନୁଷ୍ଠିତ ହୋଇପାରିବ ନାହିଁ।

ସାମୂହିକ ପ୍ରାର୍ଥନା ପାଇଁ ଗୋଟିଏ ମ୍ୟାଟର ବ୍ୟବହାର ହେବନି। ଲୋକମାନେ ନିଜର ସହ ପ୍ରାର୍ଥନା ପାଇଁ ମ୍ୟାଟ ଆଣିବେ। ସବୁ ଧର୍ମାନୁଷ୍ଠାନ ବାହାରେ ହ୍ୟାଣ୍ଡ ସାଇନିଟାଇଜରର ବ୍ୟବସ୍ଥା ହେବ। ସେହିପରି ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଧର୍ମାନୁଷ୍ଠାନ ନ ଆସିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଅକ୍ଟୋବର ୨୨ରୁ ରାଜ୍ୟରେ ଥିବା ସମସ୍ତ ସିନେମା ହଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।