ସୁପ୍ରିମକୋର୍ଟଙ୍କ ଐତହାସିକ ରାୟ: ସବୁ ମହିଳାଙ୍କର ଅଛି ଗର୍ଭପାତର ଅଧିକାର

ନୂଆଦିଲ୍ଲୀ: ମହିଳା ଅଧିକାରକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଦେଶରେ ରହୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି। ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି(ଏମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି, ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ। ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ।
କୋର୍ଟ ଆହୁରି କହିଛନ୍ତି, “ଏକକ କିମ୍ବା ଅବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବାରଣ କରିବା ଓ ବିବାହିତ ମହିଳାଙ୍କୁ ଏଥିପାଇଁ ଅନୁମତି ଦେବା ଧାରା ୧୪ ବା ମୌଳିକ ଅଧିକାରର ମୂଳ ଭାବନାକୁ କ୍ଷତି ପହଞ୍ଚାଇବା ସହ ସମାନ। ଗର୍ଭପାତପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବିଚାର କରାଯିବ ନାହିଁ। ଇଚ୍ଛା ନଥିବା ଗର୍ଭକୁ ଜଣେ ଅବିବାହିତ ମହିଳା ଚାହିଁଲେ ନଷ୍ଟ କରିପାରିବେ। ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ।

ବାହାଘର ଜଣେ ବ୍ୟକ୍ତିଙ୍କର ଅଧିକାର ପାଇଁ ଏକ ପ୍ରାକ୍‌ ସର୍ତ୍ତ ବୋଲି ପୂର୍ବରୁ ଥିବା ବିଚାରବୋଧକୁ ଆଧୁନିକ ଆଇନ ବଦଳାଇ ସାରିଛି। ଏମଟିପି ଆଇନ ଆଜିର ବାସ୍ତବତାକୁ ବୁଝିବା ଦରକାର ଓ ପୁରୁଣା ନିୟମରେ ଏହା ବାନ୍ଧି ହୋଇ ରହିବା ଅନୁଚିତ। ଆଇନ କେବେ ହେଲେ ସ୍ଥିର ହୋଇ ରହିବା କଥା ନୁହେଁ ଓ ସାମାଜିକ ବାସ୍ତବତାକୁ ନଜରେ ରଖି ଏହା ପରିବର୍ତ୍ତନଶୀଳ ହେବା ଉଚିତ।

ଅସୁରକ୍ଷିତ ଗର୍ଭପାତ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି, “ଅସୁରକ୍ଷିତ ଗର୍ଭପାତ ଏବେ ବି ମାତୃ ମୃତ୍ୟୁହାରର ତୃତୀୟ ସର୍ବାଧିକ କାରଣ ସାଜିଛି। ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ ଉପାୟରେ କରାଯାଉଛି। ସୁରକ୍ଷିତ ଗର୍ଭପାତ ସେବା ଯୋଗାଇ ଦେବାକୁ ମନା କରିବା ଓ କଟକଣା ଯୁକ୍ତ ଗର୍ଭପାତ କରିବା ଅସୁରକ୍ଷିତ ଗର୍ଭପାତ ବଢ଼ିବାର ମୁଖ୍ୟକାରଣ।

ବିବାହିତ ମହିଳାମାନେ ମଧ୍ୟ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ବର୍ଗର ପୀଡ଼ିତାଙ୍କ ଅଂଶବିଶେଷ। ଇଚ୍ଛା ନଥାଇ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଉଛନ୍ତି। ତେଣୁ ଯଦି ଜଣେ ବିବାହିତ ମହିଳା କିମ୍ବା ଅବିବାହିତ ମହିଳା ଗର୍ଭପାତ କରିବାକୁ ଚାହୁଁଛନ୍ତି, ତା’ହେଲେ ବିନା ଦୁଷ୍କର୍ମ ମାମଲା ରୁଜୁ କରି ଏହା କରାଯାଇ ପାରିବ। ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତା’ହେଲେ ବିନା ଏଫଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯଦି ଜଣେ ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଛନ୍ତି, ତା’ହେଲେ ପଞ୍ଜୀକୃତ ମେଡିକାଲ କର୍ମଚାରୀ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।