‘ଅଜାନ’ ପାଇଁ ଶୋଇପାରୁ ନାହାନ୍ତି କୁଳପତି, ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଲେଖିଲେ ଚିଠି

ଲକ୍ଷ୍ନୌ: ମୁସିଲମ ସଂପ୍ରଦାୟର ଦୈନିକ ପ୍ରାର୍ଥନା ବା ‘ଅଜାନ’ ଲାଉଡ ସ୍ପିକରରେ ବାଜୁଥିବାରୁ ଏହାକୁ ବିରୋଧ କରିଛନ୍ତି ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ସଂଗୀତା ଶ୍ରୀବାସ୍ତବ। ଅଜାନ ଜୋର୍‌ରେ ପଢ଼ା ଯାଉଥିବାରୁ ସେ ଠିକ୍‌ ଭାବେ ଶୋଇ ପାରୁନାହାନ୍ତି। ଏଥିପାଇଁ ସେ ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ଚିଠି ମଧ୍ୟ ଲେଖିଛନ୍ତି।

ସେ ଲେଖିଥିବା ଚିଠିର ଶୀର୍ଷକ “ସିଭିଲ ଲାଇନ୍ସ, ପ୍ରୟାଗରାଜରେ ଶବ୍ଦ ପ୍ରଦୂଷଣ।” ସେ ଏହାକୁ ମାର୍ଚ୍ଚ ୩ରେ ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ଅଧିକାରୀ ଭାନୁ ଚନ୍ଦ୍ରା ଗୋସ୍ୱାମୀଙ୍କ ପାଖକୁ ପଠାଇଛନ୍ତି। ସେ କହିଛନ୍ତି, ତାଙ୍କ ବଙ୍ଗଳା ନିକଟରେ ଥିବା ମସଜିଦରେ ପ୍ରତିଦିନ ସକାଳ ପ୍ରାୟ ୫.୩୦ରେ ପ୍ରାର୍ଥନା ବା ଅଜାନ କରାଯାଉଛି।

ଲାଉଡ ସ୍ପିକରରେ ଏହାକୁ ପଢ଼ା ଯାଉଥିବାରୁ ତାଙ୍କୁ ନିଦ ଭାଙ୍ଗି ଯାଉଛି। ସେ ଏହାପରେ ଶୋଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଆଉ ନିଦ ହୁଏ ନାହିଁ। ଏଥିପାଇଁ ଦିନ ତମାମ ସେ ମୁଣ୍ଡବିନ୍ଧା ଓ ଅନ୍ୟାନ୍ୟା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଣ୍ଡବିନ୍ଧା ଯୋଗୁ ତାଙ୍କ ଦୈନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି।

ସେ ଆହୁରି କହିଛନ୍ତି, “ମୁଁ କୌଣସି ଧର୍ମର ବିରୋଧୀ ନୁହେଁ। କିନ୍ତୁ ଲାଉଡ ସ୍ପିକର ବିନା ଯଦି ଅଜାନ ପଢ଼ାଯାଏ, ତା’ହେଲେ କାହାର କିଛି ଅସୁବିଧା ହେବ ନାହିଁ। ଆଗକୁ ଇଦ୍‌ ଆସୁଛି। ଏହି ସମୟରେ ରାତି ୪ଟାରୁ ମସଜିଦରୁ ମାଇକ ଯୋଗେ ଶେହରି ପାଇଁ ଘୋଷଣା କରାଯିବ।

ଭାରତୀୟ ସମ୍ବିଧାନ ସମସ୍ତ ସଂପ୍ରଦାୟ ମଧ୍ୟରେ ଧର୍ମନିରପେକ୍ଷ ଓ ସହଭାଗିତା ବିଷୟରେ କହିଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ଦରକାର।” କୁଳପତି ସଙ୍ଗୀତା ଶ୍ରୀବାସ୍ତବ ତାଙ୍କ ଚିଠିରେ ଆହ୍ଲାବାଦ ହାଇକୋର୍ଟ ନିକଟରେ ଦେଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କୋର୍ଟ ନିର୍ଦ୍ଦିଷ୍ଟ ଶବ୍ଦରେ ମାଇକ ବଜାଇବା ସହ ରାତି ୧୦ଟାରୁ ସକାଳ ୬ଟା ଯାଏ ଲାଉଡ ସ୍ପିକରର ବ୍ୟବହାର ଉପରେ ରୋକ ଲଗାଇଥିଲା।

ଅନ୍ୟପକ୍ଷରେ ମସଜିଦ ପରିଚାଳନା କରୁଥିବା କର୍ତ୍ତୃପକ୍ଷ କହିଛନ୍ତି, କୁଳପତିଙ୍କ ଅଭିଯୋଗ ସମ୍ପର୍କରେ ପୁଲିସ୍‌ ଆମକୁ ଜଣାଇଛି। ଆମେ ଏବେଠାରୁ ମାଇକ୍‌ର ସାଉଣ୍ଡ କମ କରିବାକୁ ନିଷ୍ପତ୍ତି ନେଇଛୁ। ଅଜାନ ଦ୍ୱାରା କାହାର ଅସୁବିଧା କରିବା ଆମର ଉଦ୍ଦେଶ୍ୟ ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।