ଟୋଲ ବୁଥରେ ପିଟିହେଲା ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ୪ ମୃତ

ବେଙ୍ଗାଲୁରୁ: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ ଚିତ୍ର। ଜଣେ ରୋଗୀ ଓ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ନେଇ ଯାଉଥିବା ଗୋଟିଏ ଆମ୍ବୁଲାନ୍ସ ଟୋଲ ବୁଥରେ ପିଟି ହୋଇଯାଇଛି। ଏହି ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ରୋଗୀ ଓ ଦୁଇ ଜଣ ଆଟେଣ୍ଟାଣ୍ଡଙ୍କ ମୃତ୍ୟୁ ହୋଇଛି। ସେହିପରି ଟୋଲ ପ୍ଲାଜରେ କାର୍ଯ୍ୟରତ ୬ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। କର୍ଣ୍ଣାଟକାର ଉଡପି ଜିଲ୍ଲା ଅନ୍ତର୍ଗତ କୁଣ୍ଡାପୁର ନିକଟ ଶିରୁର ଟୋଲ ପ୍ଲାଜରେ ଏହି ଭୟଙ୍କର ଘଟଣା ଘଟିଛି।

ଡାକ୍ତର ଦୁର୍ଗା ପ୍ରସାଦ ହେଗଡେ ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଟ୍ୱିଟ କରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମ୍ବୁଲାନ୍ସର ସାଇରନ ଶୁଣି ଟୋଲ କର୍ମଚାରୀମାନେ ତରବରିଆ ଭାବେ ପ୍ଲାଷ୍ଟିକ ଦ୍ୱାରା ହୋଇଥିବା ବ୍ୟାରିକେଡକୁ ହଟାଇବା ଆରମ୍ଭ କରିଥିଲେ। ଟୋଲ ପ୍ଲାଜା ପୂର୍ବରୁ ରଖାଯାଇଥିବା ଦୁଇଟି ବ୍ୟାରିକେଡକୁ ଜଣେ କର୍ମଚାରୀ ବେଶ ସୁରକ୍ଷିତ ଭାବେ ହଟାଇ ଦେଇଥିଲେ।

ଏହି ସମୟରେ ବୁମ ବ୍ୟାରିୟର ନିକଟରେ ରଖାଯାଇଥିବା ଆଉ ଏକ ବ୍ୟାରିକେଡ୍‌କୁ ମଧ୍ୟ ହଟା ଯାଉଥିଲା। ଜଣେ କର୍ମଚାରୀ ଏହାକୁ ହଟାଉଥିବା ବେଳେ ହଠାତ୍‌ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସ ଟୋଲ ପ୍ଲାଜା ନିକଟରେ ପହଞ୍ଚି ଯାଇଥିଲା। ଠିକ ବୁମ ବ୍ୟାରୟର ପୂର୍ବରୁ ବର୍ଷା ଯୋଗୁ ଓଦା ହୋଇଥିବା ରାସ୍ତାରେ ଆମ୍ବୁଲାନ୍ସର ଚକା ସ୍ଲିପ କରି ଯାଇଥିଲା। ଫଳରେ ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ଖୁବ ଜୋରରେ ଟୋଲ ବୁଥରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସର ପଛପଟ ଦ୍ୱାର ଖୋଲି ଯାଇଥିଲା। ଏଥିଯୋଗୁ ଏହା ମଧ୍ୟରେ ଥିବା ରୋଗୀ ଓ ଦୁଇ ଆଟେଣ୍ଡାଣ୍ଟ ବାହାରକୁ ଛିଟିକି ପଡ଼ି ପ୍ରାଣ ହରାଇଥିଲେ। ସେହିପରି ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ମଧ୍ୟ ଘଟଣା ସ୍ଥଳରେ ଆଖି ବୁଜିଛନ୍ତି। ଆମ୍ବୁଲାନ୍ସ ଧକ୍କାରେ ଆହତ ହୋଇଥିବା ଟୋଲ ପ୍ଲାଜର ୬ ଜଣ କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।