କ୍ଷୀର ଦାମ ଆଉ ୨ ଟଙ୍କା ବଢ଼ିଲା, କାଲିଠୁ ଲାଗୁ

ଅହମଦାବାଦ: ଦରଦାମ ବୃଦ୍ଧିର ଝଟକାରୁ ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳୁନାହିଁ। ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ଆଜି ପୁଣିଥରେ କ୍ଷୀର ଲିଟର ପିଛା ୨ଟଙ୍କା ମହଙ୍ଗା ହେବାକୁ ଯାଉଛି। ଅମୂଲ ଓ ମଦର ଡାଏରୀ ପକ୍ଷରୁ କ୍ଷୀର ଦାମ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ମିଶାଇ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ କ୍ଷୀରର ଦାମ ବଢ଼ିଛି। ବର୍ଦ୍ଧିତ ମୂଲ୍ୟ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୭ ତାରିଖରୁ ଲାଗୁ ହେବ।

ନୂଆ ଦର ଲାଗୁ ହେବା ପରେ ଅଧା ଲିଟର ଅମୂଲ ଗୋଲ୍ଡର ମୂଲ୍ୟ ୩୧ ଟଙ୍କା, ଅମୂଲ ତାଜାର ଦାମ ୨୫ ଟଙ୍କା ଓ ଅମୂଳ ଶକ୍ତିର ଦାମ ୨୮ ଟଙ୍କା ହୋଇଯିବ। ଲିଟର ପିଛା ୨ ଟଙ୍କା ମହଙ୍ଗା ହେବାର ଅର୍ଥ ଏମଆରପି ଉପରେ ୪% ବଢ଼ିବା ସହ ସମାନ। ବର୍ତ୍ତମାନ ରହିଥିବା ହାରାହାରି ଖାଦ୍ୟ ମୁଦ୍ରାସ୍ଫୀତି ତୁଳନାରେ ଏହା ଯଥେଷ୍ଟ କମ।

ଅମୂଲ ଚଳିତ ବର୍ଷ ଫେବୃଆରୀରେ କ୍ଷୀରର ଦାମ ବୃଦ୍ଧି କରିଥିଲା। କମ୍ପାନୀ କହିଛି ଯେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। କେବଳ ଗୋଖାଦ୍ୟର ଦାମ ଗତବର୍ଷ ତୁଳନାରେ ୨୦% ମହଙ୍ଗା ହୋଇଛି। ଇନପୁଟ ଦାମକୁ ଦୃଷ୍ଟିରେ ରଖି ଆମ ସଦସ୍ୟ ୟୁନିୟନ ଚାଷୀଙ୍କ ପ୍ରାପ୍ୟକୁ ୮ରୁ୯% ବୃଦ୍ଧି କରିଛନ୍ତି। ତେଣୁ ଏବେ କ୍ଷୀରର ଦାମ ବୃଦ୍ଧି କରାଯାଇଛି।

ମଦର ଡାଏରୀ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ବଢ଼ାଇଥିଲା। ଦିଲ୍ଲୀ-ଏନଆରରେ ମଦର ଡାଏରୀର ଚାହିଦା ସବୁଠାରୁ ଅଧିକ। ଏଠାରେ ଦିନକୁ ପ୍ରାୟ ୩୦ ଲିଟର କ୍ଷୀର ବିକ୍ରି ହୋଇଥାଏ। କମ୍ପାନୀ କହିଛି ଯେ ଅଗଷ୍ଟ ୧୭ ତାରିଖରୁ ମଦର ଡାଏରୀର କ୍ଷୀର ପାଇଁ ଗ୍ରାହକଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ଦେବାକୁ ପଡ଼ିବ।

କାଲିଠାରୁ ଲୋକମାନଙ୍କୁ କମ୍ପାନୀର ସଂପୂର୍ଣ୍ଣ କ୍ରିମ କ୍ଷୀର ପାଇଁ ଲିଟର ପିଛା ୬୧ ଟଙ୍କା ଦେବାକୁ ହେବ। ଆଜି ଏହାର ଦାମ ୫୯ ଟଙ୍କା ରହିଛି। ଟୋନ୍‌ଡ କ୍ଷୀର(ମଇଁଷି) ଲିଟର ପିଛା ୫୧ ଟଙ୍କା ଓ ଡବଲ ଟୋନଡ ୪୫ ଟଙ୍କାରେ ବିକ୍ରି ହେବ। ସେହିପରି ଗାଈ କ୍ଷୀରର ଦାମ କମ୍ପାନୀ ଲିଟର ପିଛା ୫୩ ଟଙ୍କାକୁ ବୃଦ୍ଧି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।