ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣ ପରେ ବାତିଲ ହେଲା ୧୦ମ ଓ ଦ୍ୱାଦଶ ପରୀକ୍ଷା

ଅମରାବତୀ: ମହାମାରୀ କରୋନା ସଂକ୍ରମଣ ଭିତରେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଥିବା ଆନ୍ଧ୍ର ସରକାର ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। ଆଜି ସୁପ୍ରିମକୋର୍ଟ ପରୀକ୍ଷା ଆୟୋଜନ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ଏଥିସହ ଯଦି କେହି ପରୀକ୍ଷା ପ୍ରକ୍ରିୟାରେ ସାମିଲ ହୋଇ ପ୍ରାଣ ହରାଇଲେ, ତା’ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଏହି ଘଟଣାର କିଛି ଘଣ୍ଟା ପରେ ଆନ୍ଧ୍ର ସରକାର ରାଜ୍ୟରେ ହେବାକୁ ଥିବା ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଛନ୍ତି।

ଆନ୍ଧ୍ର ପ୍ରଦେଶ ଶିକ୍ଷା ମନ୍ତ୍ରୀ ଏ ସୁରେଶ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ପରୀକ୍ଷା କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ। ସୁପ୍ରିମକୋର୍ଟ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଉଛି ବୋଲି ସେ କହିଛନ୍ତି।

ଆଜି ସକାଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଥିଲେ, ଯଦି ବିଭିନ୍ନ ରାଜ୍ୟର ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି, ତା’ହେଲେ ଆନ୍ଧ୍ର କାହିଁକି ଭିନ୍ନ ନିଷ୍ପତ୍ତି ନେଉଛି? କିଛି ରାଜ୍ୟ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୧ କୋଟି ଲେଖାଏ କ୍ଷତି ପୂରଣ ଦେଉଛନ୍ତି।

ଏହା ଆନ୍ଧ୍ର ପ୍ରଦେଶ ପାଇଁ ମଧ୍ୟ ଲାଗୁ ହୋଇପାରେ। ଏବେ ନୂଆ ଓ ମାରାତ୍ମକ କରୋନା ଭାଇରସର ଭାରିଏଣ୍ଟ ଚିହ୍ନଟ ହେଉଛି। ଏହି ସମୟରେ କ୍ଲାସରୁମ ପରୀକ୍ଷା କରିବାକୁ କାହିଁକି ସରକାର ଏତେ ବ୍ୟସ୍ତ ହେଉଛନ୍ତି? ପରିସ୍ଥିତିକୁ ଦେଇ ଅନେକ ରାଜ୍ୟ ବାତିଲ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବାରେ ଲାଗିଛି। ଏହା କେତେ ମାତ୍ରାରେ ପ୍ରଭାବିତ କରିବ, ସେକଥା କେହି ବି ଜାଣିନାହାନ୍ତି। ଏପରି ସ୍ଥିତିରେ କିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲା? କେଉଁ ସବୁ ବିଷୟକୁ ଆଧାର କରି ପରୀକ୍ଷା ନିଷ୍ପତ୍ତି ନିଆଗଲା? ଏହା ସମସ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛି। ଆମେ ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ଗ୍ରହଣ କରିପାରୁନାହୁଁ ବୋଲି ଖଣ୍ଡପୀଠ କହିଥିଲେ।

କୋର୍ଟ ଆସନ୍ତାକାଲି ସୁଦ୍ଧା କେଉଁ ସରକାରୀ ଅଧିକାରୀ କିମ୍ବା ବିଭାଗ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ, ତା’ର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ପୁଣି ମାମଲାର ଶୁଣାଣି ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।