ନଭେମ୍ବର ୬ ଯାଏ ରିମାଣ୍ଡରେ ଗଲେ ଅନୀଲ ଦେଶମୁଖ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା। ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୀର୍ଘ ୧୨ ଘଣ୍ଟା କାଳ ଜେରା କରିଥିଲା। ଏହାପରେ ବିଳମ୍ବିତ ରାତିରେ ଦେଶମୁଖ ଗିରଫ ହୋଇଥିଲେ।

ଆଜି ତାଙ୍କୁ ଇଡି ପକ୍ଷାରୁ ସ୍ୱତନ୍ତ୍ର  କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଇଡି ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଯୁକ୍ତି କରିଥିଲେ। ହେଲେ ଏହାକୁ ଅନୀଲ ଦେଶମୁଖଙ୍କ ଓକିଲ ବିରୋଧ କରିଥିଲେ। ଶେଷରେ କୋର୍ଟ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ରିମାଣ୍ଡରେ ଥିବା ଦେଶମୁଖକୁ ଇଡି ଜେରା କରିବା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ସେହିପରି ତାଙ୍କୁ ଘରର ରନ୍ଧା ଖାଦ୍ୟ ଓ ମେଡିସିନ ମଧ୍ୟ ମିଳିବ ବୋଲି କୋର୍ଟ ସର୍ତ୍ତ ଜାରି କରିଛନ୍ତି। ଇଡି ଏହି ସର୍ତ୍ତରେ ରାଜି ହେବା ପରେ କୋର୍ଟ ନଭେମ୍ବର ୬ ତାରିଖ ଯାଏ ଦେଶମୁଖଙ୍କୁ ରିମାଣ୍ଡରେ ଛାଡ଼ିଛନ୍ତି। ଏହି ସମୟରେ ଇଡିର ଅଧିକାରୀମାନେ ତାଙ୍କୁ ମାରାଥନ ଜେରା କରିବା ସହ ପୂରା ଘଟଣାର ଖିଅ ବାହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗୃହମନ୍ତ୍ରୀ ଥିବା ବେଳେ ଶ୍ରୀ ଦେଶମୁଖଙ୍କ ବିରୋଧରେ ଲାଞ୍ଚ କାରବାର ମାମଲା ଆସିଥିଲା। ସେ ପୁଲିସ୍‌ ଜରିଆରେ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିବାଦ ହେବାରୁ ସେ ଗୃହମନ୍ତ୍ରୀ ପଦ ଛାଡ଼ିଥିଲେ।

ଇଡି ଏହି ଲାଞ୍ଚ କାରବାର ମାମଲାରେ ମନି ଲଣ୍ଡରିଂ ଦିଗର ଖୋଳତାଡ଼ ଆରମ୍ଭ କରିବା ସହ ଦେଶମୁଖଙ୍କୁ ସମନ କରିଥିଲା। ସେ ଏଥିରୁ ବର୍ତ୍ତିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଶୁକ୍ରବାର କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। ଏଥିପାଇଁ ଇଡିର ସମନ ଅନୁଯାୟୀ ଦେଶମୁଖ ସୋମବାର ମୁମ୍ବାଇ କାର୍ଯ୍ୟାଳୟରେ ଜେରାରର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟ ପରମବୀର ସିଂହ ହିଁ ଦେଶମୁଖଙ୍କ ବିରୋଧରେ ୧୦୦ କୋଟିର ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏନେଇ ପରମବୀର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ୭୧ ବର୍ଷୀୟ ଦେଶମୁଖ ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।