ପୁଣି ଜଣେ ଆଦିବାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା

ରାଞ୍ଚି: ପୁଣି ଚର୍ଚ୍ଚାରେ ଝାରଖଣ୍ଡର ଡୁମକା ଜିଲ୍ଲା। ଏଠାରୁ ପୁଣି ଜଣେ ଆଦିବାସୀ କିଶୋରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ଗତ ୩ ମାସ ମଧ୍ୟରେ ୪ର୍ଥ ଥର ପାଇଁ ଏପରି ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଓ ପୂରା ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଗାଁ ଲୋକମାନେ ପ୍ରଥମେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେକଥା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ପୁଲିସ୍‌ ବର୍ତ୍ତମାନ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଉଦ୍ଧାର ହୋଇଥିବା ଆଦିବାସୀ ଛାତ୍ରୀଙ୍କ ମୃତଦେହ ସଂପୂର୍ଣ୍ଣ ଭାବେ ପୋଚି ଯାଇଛି। ଏହାର ଅର୍ଥ ବେଶ କିଛି ଦିନ ତଳୁ ତାଙ୍କର ମୃତ୍ୟୁ ଘଟିଛି। ଝିଅଟି ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଜେଜେ ମା’ ଓ ଭାଇ-ଭଉଣୀଙ୍କ ସହ ଡୁମକାର ଅମ୍ବାଜୋରା ଗାଁରେ ରହୁଥିଲା। ଛାତ୍ରୀ ଜଣଙ୍କ ରାମ କୁମାର ମାରାଣ୍ଡି ନାମକ ଜଣେ ଯୁବକୁ ପ୍ରେମ କରୁଥିଲେ।

ରାମ କୁମାର ମଧ୍ୟ ବେଳେବେଳେ ଛାତ୍ରୀଙ୍କ ଘରକୁ ଆସନ୍ତି। ଏହାକୁ ସେମାନେ ରହୁଥିବା ଘରର ମାଲିକ ବିରୋଧ କରୁଥିଲେ। ଏପରି କି ଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଘର ଖାଲି କରିବାକୁ କହିଥିଲେ।

ଏହି ଖବର ପାଇ ସେପ୍ଟେମ୍ବର ୨୬ରେ ଛାତ୍ରୀଙ୍କ ବାପା ଗାଁକୁ ଆସିବା ସହ ତାଙ୍କୁ ବୁଝାଇଥିଲେ। ଏଥିସହ ସେ ଘରର ମାଲିକଙ୍କୁ ଝିଅର ପରୀକ୍ଷା ସରିବା ଯାଏ ଏଠାରୁ ବାହାର ନ କରିବାକୁ ଅନୁରୋଧ କରିଥିଲେ।

ଘଟଣାର ଦିନକ ପରେ ଛାତ୍ରୀ ଜଣଙ୍କ ଅମ୍ବାଯୋଡ଼ାରେ ଥିବା ନିଜ ମାମୁ ଘରକୁ ଚାଲିଯାଇଥିଲେ। ଅକ୍ଟୋବର ୭ ଯାଏ ସେଠାରେ ରହିଥିଲେ। ୭ ତାରିଖ ଦିନ ସେ ନିଜ ଘରକୁ ଯାଉଥିବା କହି ମାମୁଁ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରେ ପହଞ୍ଚି ନଥିଲେ। ଝିଅ ନ ଆସିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କର କିଛି ବି ପତ୍ତା ମିଳି ନଥିଲା।

ଶେଷରେ ପରିବାର ଲୋକ ଛାତ୍ରୀ ଜଣଙ୍କ ଭଲ ପାଉଥିବା ଯୁବକ ରାମ କୁମାରଙ୍କୁ ଅକ୍ଟୋବର ୧୦ରେ ଯୋଗାଯୋଗ କରିଥିଲେ। ହେଲେ ସେ କିଛି ବି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହାର ଦିନକ ପରେ ପରିବାର ଲୋକ ଝିଅର ନିଖୋଜ ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଆଜି ବାଡଟାଲ୍ଲା ଗାଁ ନିକଟ ଗୋଟିଏ ଗଛରୁ ଝିଅର ଝୁଲନ୍ତା ମୃତଦେହ ମିଳିଛି।

ପୂଜା ଛୁଟି ପାଇଁ ଝିଅଟି ମାମୁଙ୍କ ଘରକୁ ଯାଇଥିଲା। ସେ ୭ ତାରିଖରୁ ନିଖୋଜ ଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ହିଁ ପରିବାର ଲୋକ ଅଭିଯୋଗ କରିଥିଲେ। ଆଜି ସକାଳୁ ଆମେ ମୃତଦେହ ଉଦ୍ଧାର କରିଛୁ। ଘଟଣା ପଛରେ ପ୍ରେମ ବ୍ୟାପର ରହିଥିବା ସନ୍ଦେହ କରାଯାଉଛି। ଆମେ ଘଟଣାକୁ ସବୁ ଦିଗରୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ବିଜେପି ନେତା ଲ୍ୟୁସ ମାରାଣ୍ଡି କହିଛନ୍ତି, “ଏବେ ବାରମ୍ବାର ଏପରି ଘଟଣା ସବୁ ଘଟିବା ବେଶ ଚିନ୍ତା ଜନକ। ଗତ ୩ ମାସ ମଧ୍ୟରେ ଡୁମକା ଜିଲ୍ଲାରେ ଏହା ୪ର୍ଥ ଘଟଣା। ଏ ସଂକ୍ରାନ୍ତରେ କଠୋର ଆଇନ ପ୍ରଣୟନ କରିବାର ଆବଶ୍ୟକ ରହିଛି। ନଚେତ କେତେ ଝିଅ ଏପରି ସ୍ଥିତିର ସମ୍ମୁଖୀନ ହେବେ, ତାହା କହିବା ମୁସ୍କିଲ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।