ମନସୁଖ ହିରେନ୍ ମାମଲାରେ ଆହୁରି ବଢ଼ିପାରେ ଗିରଫଦାରୀ

ମୁମ୍ୱାଇ: ମନସୁଖ ହିରେନ ହତ୍ୟା ମାମଲାରେ ବିଭିନ୍ନ ତଥ୍ୟ ଗାଏବ କରି ଖସିଯିବାକୁ ବସିଥିବା ସଚିନ ବାଜେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦମନରୁ ମିଳିଥିବା ଭୋଲଭୋ କାର୍‌ ଏହି ହତ୍ୟା ମାମଲାର ଅନେକ ଗୁମର ଫିଟାଇବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି।

ମଙ୍ଗଳବାର ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଜୟଜିତ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ହତ୍ୟା ମାମଲା ସହ ଜଡିତ ଥିବା କିଛି ସିସିଟିଭି ଫୁଟେଜକୁ ଅପରାଧୀ ମାନେ ନଷ୍ଟ କରି ଦେଇଛନ୍ତି। କିନ୍ତୁ କିଛି ସାକ୍ଷୀ ରାଜି ହୋଇଛନ୍ତି, ଯେଉଁମାନେ ସବୁ କଥା କହିବେ। ସେମାନେ ସମସ୍ତେ ସିଆରପିସିର ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରଖିବେ। ଏଥିସହ ଏଟିଏସ୍ ବାଜେଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ସିଂହ କହିଛନ୍ତି।

ଏହି ମାମଲାରେ ନିକଟରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ସେମାନେ ସଚିନ ବାଜେଙ୍କ କ୍ରାଇମ ପାର୍ଟନର ବୋଲି ଜଣାପଡ଼ିଛି।

ଏହି ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ମାର୍ଚ୍ଚ ୬ରେ ନେଇଥିଲା ଏଟିଏସ୍। ଆସିଷ୍ଟାଣ୍ଟ ପୁଲିସ୍ ଇନ୍ସପେକ୍ଟର ସଚିନ୍ ବାଜେ ମାର୍ଚ୍ଚ ୮ରେ ତାଙ୍କ ବିବୃତ୍ତି ରେକର୍ଡ କରି କହିଥିଲେ ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତ ନାହିଁ। ହିରେନଙ୍କ ମୃତ୍ୟୁ ମାମଲାରେ ଲିଙ୍କକୁ ଅସ୍ୱୀକାର କରିଛନ୍ତି। ହେଲେ ଅନୁସନ୍ଧାନକାରୀମାନେ ପ୍ରମାଣ ପାଇଛନ୍ତି ଯେ ବାଜେ ମିଛ କହୁଛନ୍ତି ଏବଂ ଏହି ଷଡ଼ଯନ୍ତ୍ରରେ ତାଙ୍କର ଭୂମିକା ରହିଛି। ଯାହାର ତଦନ୍ତ ଆରମ୍ଭ ହୋଇଛି।

ସେହିପରି ମୃତ ମନସୁଖ ହିରେନ ମୃତ୍ୟୁ ପୂର୍ବରୁ ତାଙ୍କ ଭାଇକୁ ଫୋନ୍ କରିଥିଲେ। ସଚିନ ବାଜେ ତାଙ୍କ ଉପରେ ଚାପ ପକାଉଥିବା ସେ କହିଥିଲେ। ଆଉ ଏହାର ଫୋନ୍ ରେକର୍ଡିଂ ସାମ୍ନାକୁ ଆସିଛି। ତେଣୁ ସଚିନ ବାଜେ ହିଁ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଉଛି।

ସୂଚନାଯୋଗ୍ୟ, ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ରଖିବା ମାମଲାରେ ଗିରଫ ହୋଇ ମାର୍ଚ୍ଚ ୨୫ ଯାଏ ଏନଆଇଏ ହେପାଜତରେ ଅଛନ୍ତି ବାଜେ।

ସ୍ୱାମୀଙ୍କ ମୃତ୍ୟୁ ପାଇଁ ବିମଳା ହିରେନ ସଚିନ ବାଜେକୁ ହତ୍ୟାକାରୀ ବୋଲି କହି ଥାନାରେ ଏତଲା ଦେଇଥିଲେ। ଏହା ପରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଲ୍ ରେକର୍ଡ ଶେଆର କରିଥିଲେ ଯେଉଁଥିରେ ସଚିନ ବାଜେ ଏବଂ ହିରେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବାର ପ୍ରମାଣ ରହିଛି। ଏହାପରେ ଏନଆଇଏ ମାମଲାର ତଦନ୍ତ ଦାୟିତ୍ୱ ପାଇଥିଲା। ଆଉ ପ୍ରଥମ ଦିନରେ ହିଁ ସଚିନ ବାଜେକୁ ଗିରଫ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।