ଦରଦାମ ବୃଦ୍ଧି ବିରୋଧରେ ସାରା ଦେଶରେ କଂଗ୍ରେସର ଗର୍ଜନ, ରାହୁଲ ଗାନ୍ଧି ଦେଲେ ଏମିତି ବୟାନ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକରୀ ସମସ୍ୟାକୁ ନେଇ ଆଜି ସାରା ଦେଶରେ ଜୋରଦାର ଆନ୍ଦୋଳନ କରିଛି ଜାତୀୟ କଂଗ୍ରେସ। ଦିଲ୍ଲୀରେ ଆନ୍ଦୋଳନର ମଙ୍ଗ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ସମ୍ଭାଳିଥିବା ବେଳେ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଦଳୀ ସମସ୍ତ ସାଂସଦ ବିକ୍ଷୋଭରେ ସାମିଲ ହୋଇଥିଲେ।

ସେହିପରି ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତା ଓ ବିଧାୟକମାନେ ଦରଦାମ ବୃଦ୍ଧି ବିରୋଧରେ ଗର୍ଜନ କରିଛନ୍ତି। ଦିଲ୍ଲୀରେ କଂଗ୍ରେସ ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ଶାନ୍ତିଶୃଙ୍ଖଳାର ସହ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ଯୋଜନା କରିଥିଲେ ମଧ୍ୟ ପୁଲିସ୍‌ ଏଥିପାଇଁ ଅନୁମତି ଦେଇନି। କଂଗ୍ରେସ ସାଂସଦଙ୍କୁ ଧରି ରାହୁଲ ଗାନ୍ଧି ରାଷ୍ଟ୍ରପତି ଭବନ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ବିଜୟ ଚୌକ ଠାରୁ ଉଠାଇ ନେଇ ପୁଲିସ ଅଟକ ରଖିଛି।

ସେହିପରି ପ୍ରିୟଙ୍କ ଗାନ୍ଧି ଭଦ୍ରା ଦଳୀୟ ସମର୍ଥକଙ୍କ ସହ କଂଗ୍ରେସ ମୁଖ୍ୟାଳୟରୁ ଶୋଭାଯାତ୍ରା ବାହାରିଥିଲେ। ସେ ବ୍ୟାରିକେଡ ଡେଇଁ ଆଗକୁ ଯିବା ବେଳେ ତାଙ୍କୁ ମଧ୍ୟ ପୁଲିସ୍‌ ଉଠାଇ ନେଇ ଅଟକ ରଖିଛି। କେବଳ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ନୁହନ୍ତି, କଂଗ୍ରେସର ଅନେକ ବରିଷ୍ଠ ନେତା ଓ ସାଂସଦ ମଧ୍ୟ ଅଟକ ରହିଛନ୍ତି।

ତେବେ ବିକ୍ଷୋଭ ପାଇଁ ଦିଲ୍ଲୀ ପୁଲିସ୍‌ ଅନୁମତି ନ ଦେବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ରାହୁଲ ଗାନ୍ଧି। ଏଥିସହ ସେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ୪ ଜଣ ଏକଚ୍ଛତ୍ରବାଦୀ ଶାସନ ଚଲାଇଛନ୍ତି। ଗଣତନ୍ତ୍ରର ହତ୍ୟା କରାଯାଉଥିବା ପୂରା ଦେଶ ଦେଖୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ବିକ୍ଷୋଭ କରିବା ପୂର୍ବରୁ ରାହୁଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ “ଆମେ ସମସ୍ତେ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଦେଖୁଛେ। ବର୍ଷ ବର୍ଷ ଧରି ଖଣ୍ଡେଖଣ୍ଡେ ଇଟାକୁ ଯୋଡ଼ାଯାଇ ଯେଉଁ ଭାରତ ଗଠନ କରାଯାଇଥିଲା, ଆଜି ତାକୁ ଆପଣମାନଙ୍କ ଆଖି ସାମ୍ନାରେ ଧ୍ୱଂସ କରାଯାଉଛି। ଯେଉଁମାନେ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆକ୍ରମଣ କରାଯାଉଛି।

ସ୍ୱର ଉଠାଉଥିବା ଲୋକଙ୍କୁ ମାଡ଼ ମରାଯାଉଛି, ଗିରଫ କରାଯାଉଛି ଓ ଜେଲରେ ଭର୍ତ୍ତି କରି ଦିଆଯାଉଛି। ଦରଦାମବୃଦ୍ଧି, ବେକାରୀ ସମସ୍ୟା ଓ ସମାଜରେ ଘଟୁଥିବା ହିଂସା ବିରୋଧରେ କେମିତି ସ୍ୱର ନ ଉଠିବ, ତାହା ହିଁ କେନ୍ଦ୍ର ସରକାରଙ୍କ ଏକମାତ୍ର ଏଜେଣ୍ଡା। ସରକାର କେବଳ ୪ରୁ ୫ ଜଣ ଲୋକଙ୍କ ସ୍ୱାର୍ଥ ସାଧାନ ପାଇଁ କାମ କରିବାରେ ଲାଗିଛନ୍ତି।

ଦୁଇ ଜଣ ଲୋକ ଆଉ ଦୁଇ ଜଣ ବଡ଼ ବ୍ୟବସାୟୀଙ୍କ ପାଇଁ କାମ କରୁଛନ୍ତି। ହିଟଲର ମଧ୍ୟ ନିର୍ବାଚନ ଜିତିଥିଲେ। ସେ ମଧ୍ୟ ନିର୍ବାଚନ ଜିତିବାକୁ ସବୁ ଉଦ୍ୟମ କରୁଥିଲେ। ସେ କେମିତି ନିର୍ବାଚନ ଜିତିଥିଲେ? ସେ ଜର୍ମାନୀର ସବୁ ପ୍ରତିଷ୍ଠାନକୁ ନିୟନ୍ତ୍ରଣରେ ରଖିଥିଲେ। ମୋତେ ପୂରା ବ୍ୟବସ୍ଥାକୁ ଦିଆଯାଉ, ତା’ ପରେ କେମିତି ନିର୍ବାଚନ ଜିତାଯାଏ ମୁଁ ଦେଖେଇ ଦେବି। ଭାରତରେ ମଧ୍ୟ ସବୁ ସାମ୍ବିଧାନିକ ପ୍ରତିଷ୍ଠାନ କିଛି ଲୋକଙ୍କ ନିୟମନ୍ତ୍ରଣରେ ରହିଛି। ଏକଚ୍ଛତ୍ରବାଦୀ ଶାସନ ବିରୋଧରେ କଂଗ୍ରେସ ସବୁବେଳେ ରହିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।