ଶିବସେନା ପାଇଁ ଓକିଲାତି କରୁଥିଲେ ସଚିନ ବାଜେ: ଫଡନାଭିସ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି। ହାଇକୋର୍ଟ ଏପିଆଇ ସଚିନ ବାଜେଙ୍କ ବିରୋଧରେ ଯେଉଁ ଆଦେଶ ଦେଇଥିଲେ ତାର ବିପରୀତ କାମ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଫଡନାଭିସ କହିଛନ୍ତି। ମୁମ୍ୱାଇରେ ବିଜନେସ ଟାଇକୁନ ମୁକେଶ ଅମ୍ୱାନଙ୍କ ଘରୁ ବିସ୍ଫୋଟକ ସାମଗ୍ରୀ ଭର୍ତ୍ତି କାର ଜବତ ହେବା ଘଟଣାରେ ମୁମ୍ୱାଇ ପୁଲିସ ଅଫିସର ସଚିନ ବାଜେ ଗିରଫ ହୋଇଛନ୍ତି। ଏନଆଇଏ ଗତକାଲି ରାତି ୧୧ଟା ୫୦ରେ ଗିରଫ କରିବା ପରେ ଫଡ଼ନାଭିସ ଏ ନେଇ ପ୍ରତିକ୍ରିୟା ଦେଇ ଉଦ୍ଧବ ସରକାର ବିରୋଧରେ ବର୍ଷିଛନ୍ତି। ଆଉ ଏହି ସରକାର ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ବିରୋଧୀ ଦଳ ନେତା ଫଡନାଭିସ ଅଭିଯୋଗ କରିଛନ୍ତି।

ଫଡ଼ନାଭିସ କହିଛନ୍ତି ପୁଲିସ ଯଦି ଅପରାଧିକ ମାମଲାରେ ସାମିଲ୍ ହେବ ତାହେଲେ ଆଇନ୍ ବ୍ୟବସ୍ଥା କିଭଳି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସଚିନଙ୍କ ବିରୋଧରେ ଗମ୍ଭୀର ଆରୋପ ରହିଛି। ପୂର୍ବରୁ ବିରୋଧୀ ସଚିନଙ୍କ ବିରୋଧରେ ଅନେକ କିଛି କହିଛି। ହେଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ସଚିନଙ୍କ ପାଇଁ ଓକିଲାତି କରିବାକୁ ପଛାଇ ନଥିଲେ। ଖାଲି ଏତିକି ନୁହେଁ ଜବତ ଗାଡ଼ି ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ମଧ୍ୟ ସଚିନ ହତ୍ୟାକାରୀ ଭାବରେ ଅଭିଯୁକ୍ତ ରହିଛନ୍ତି। ଏହାପରେ ବି ସଚିନଙ୍କ ପ୍ରତି ସରକାର ନରମ ମନୋଭାବ ରଖିବା ରାଜ୍ୟର ଆଇନ ବ୍ୟବସ୍ଥା କିଭଳି ବୁଝିହେଉଛି ବୋଲି ଫଡନାଭିସ କହିଛନ୍ତି।

ମହାରାଷ୍ଟ୍ର ହାଇକୋର୍ଟ ସଚିନ ବାଜେଙ୍କୁ ନିଲମ୍ବିତ କରିଥିଲେ। ହେଲେ କରୋନା ବେଳେ ପୁଲିସ କର୍ମୀ ଅଭାବ ଦେଖାଇ ଉଦ୍ଧବ ସରକାର ସଚିନଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇ ଦେଲେ। ନିଲମ୍ୱନ ଆଦେଶ ଉଠାଇବା ପୂର୍ବରୁ ସଚିନ ବାଜେ ଶିବସେନାର ମୁଖପାତ୍ର ସହିତ ଉଦ୍ଧବଙ୍କ ଖାସ୍ ଥିଲେ। ଫଡନାଭିସ କହିଛନ୍ତି, ନିଲମ୍ୱନ ଆଦେଶ ଉଠାଇ ଦେବା ପର୍ଯ୍ୟନ୍ତ ଠିକ୍ ଅଛି ହେଲେ ରାତାରାତି କ୍ରାଇମ ବ୍ରାଞ୍ଚର ୟୁନିଟର ମୁଖ୍ୟ ପଦବୀରେ ତାଙ୍କୁ ବସାଇବା କଥା ଶାସକ ଦଳ ଶିବସେନା ପାଇଁ ଓକିଲାତି ଛଡ଼ା ଆଉ କିଛି ନୁହେଁ।

ରାତିସାରା ଯେଉଁମାନେ ସେହି ବିଭାଗର ମୁଖ୍ୟ ଥିଲେ ସେମାନଙ୍କୁ ଉଦ୍ଧବ ହଟାଇ ଦେଇଥିଲେ। ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଉଥିଲେ ସରକାର। ଯାହାର ମୁଖ୍ୟ ଥିଲେ ସଚିନ। ଏଥିରୁ ସ୍ପଷ୍ଟ ଚାକିରିରେ ପୁନଃ ଅବସ୍ଥାପିତ ହେବା ପରେ ସଚିନ ବାଜେ ଶିବସେନା ପାଇଁ ଓକିଲାତି କରୁଥିଲେ।

ବୋମା ଭର୍ତ୍ତି ଗାଡ଼ି ମାମଲାରେ ସଚିନ ଏନଆଇଏ ଆଗରେ ଅନେକ ପୁଲିସ ଅଫିସର ଏବଂ ଶିବସେନା ନେତାଙ୍କ ନାଁ କହିଥିବା ସୂଚନା ରହିଛି। ଆଗକୁ କାର ମାଲିକ ମନସୁଖ ମାମଲାର ଏନଆଇଏ ତଦନ୍ତ କଲେ ଆହୁରି ଅନେକ ଖୁଲାସା ହେବ ଆଉ ଶିବସେନାର ଅସଲ ମୁଖା ସାମ୍ନାକୁ ଆସିବ ବୋଲି ଫଡ଼ନାଭିସ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।