ସେନା ନିଯୁକ୍ତିରେ ଦୁର୍ନୀତି: ୭ ଆର୍ମି ଅଫିସରଙ୍କ ସମେତ ୨୩ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ସେନା ବାହିନୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଦାୟିତ୍ୱ ସିବିଆଇ ଗ୍ରହଣ କରି ମାମଲା ରୁଜୁ କରିଛି। ସିବିଆଇ ରୁଜୁ କରିଥିବା ମାମଲାରେ ଇଣ୍ଡିଆନ ଆର୍ମିର ୭ ଜଣ ଅଫିସରଙ୍କ ସମେତ ମୋଟ ୨୩ ଜଣଙ୍କ ନାଁ ରହିଛି।

ସିବିଆଇ କହିଛି, ସର୍ଭିସ ସେଲେକସନ ବୋର୍ଡ ଜରିଆରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ଅଫିସର୍ସ ଓ ଅନ୍ୟାନ୍ୟ ରାଙ୍କରେ ନିଯୁକ୍ତି ବେଳେ ଅନିୟମିତା କରାଯାଇଛି। ଏଥିପାଇଁ ୧୭ ଜଣ ସେନା କର୍ମଚାରୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଯାଇ ତଦନ୍ତ ଆରମ୍ଭ କରାଯାଇଛି। ଏ ସଂକ୍ରାନ୍ତରେ ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇଥିଲା।

ଆଜି ବେସ୍‌ ହସ୍ପିଟାଲ, କ୍ୟାଣ୍ଟୋନମେଣ୍ଟ, ଅନ୍ୟ ଆର୍ମି ପ୍ରତିଷ୍ଠାନ, ସିଭିଲିଆନ ଅଞ୍ଚଳ ଭଳି ୧୩ଟି ସହରର ୩୦ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହା ମଧ୍ୟରେ ଦିଲ୍ଲୀ, ଗୌହାଟୀ, ଲକ୍ଷ୍ନୌ, ଜୟପୁର, କପୁରଥାଲା, ଭାତିଣ୍ଡା, କୈଥାଲା, ପଲୱାଲ, ବରେଲୀ, ଗୋରଖପୁର, ବିଶାଖପଟନମ, ଜୋରହାଟ ଓ ଚିରାଙ୍ଗନ ଭଳି ସହର ରହିଥିଲା। ରେଡ୍‌ ବେଳେ ମିଳିଥିବା ଏକାଧିକ ଦସ୍ତାବିଜର ଯାଞ୍ଚ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିବିଆଇ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।