୩୦ ଜଣଙ୍କୁ ନୂଆ ଜୀବନ ଦେଲା ଭାରତୀୟ ସେନା

ଶ୍ରୀନଗର: ଭାରତୀୟ ସେନା କେବଳ ଶତ୍ରୁଙ୍କୁ ନିପାତ କରେନି, ବରଂ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରେ। ଏହାର ଜ୍ୱଳନ୍ତ ଉଦାହରଣ ପୁଣିଥରେ ସାମ୍ନାକୁ ଆସିଛି। ଭାରତୀୟ ସେନା ଯବାନଙ୍କ ବୀରତା ଯୋଗୁ ୩୦ ଜଣ ସାଧାରଣ ଲୋକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସେମାନଙ୍କୁ ଯବାନମାନେ ନୂଆ ଜୀବନ ଦେଇଛନ୍ତି।

ବର୍ତ୍ତମାନ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହେଉଛି। ଏହିକ୍ରମରେ ଚୌକିବାଲ-ଟଙ୍ଗଧର ରାସ୍ତାରେ ମଧ୍ୟ ବରଫ ଚାଦର ଦେଖିବାକୁ ମିଳିଛି। ତେବେ ସୋମବାର ରାତିରେ ହଠାତ୍‌ ଖୁନି ନାଳ ଓ ଏସ୍‌ଏମ ପାହାଡ଼ ନିକଟରେ ଦୁଇ ଦୁଇଟି ହିମସ୍ଖଳନ ହୋଇଥିଲା। ଫଳରେ ବରଫ ଅତଡ଼ା ତଳେ ୩୦ ଜଣ ଲୋକ ଫସି ଯାଇଥିଲେ। ଲୋକମାନେ ଗାଡ଼ି ନେଇ ଯାଉଥିବା ବେଳେ ହିମସ୍ଖଳନ ଯୋଗୁ ଫସି ଯାଇଥିଲେ।

ବିଳମ୍ବିତ ରାତିରେ ଭାରତୀୟ ସେନା ପାଖରେ ଏହି ଦୁଃଖଦ ସୂଚନା ପହଞ୍ଚିଥିଲା। ଖବର ମିଳିବା ସମୟରେ ଅନେକ ରାତି ହୋଇ ସାରିଥିଲା। ସେହିପରି ରାସ୍ତାରେ ବରଫ ବର୍ଷା ବି ହେଉଥିଲା। ଏହା ସତ୍ତ୍ୱେ ଯବାନମାନେ ତୁରନ୍ତ ଘଟଣସ୍ଥଳକୁ ବାହାରି ଯାଇଥିଲେ। ଭାରତୀୟ ସେନାର ଦୁଇଟି ଉଦ୍ଧାରକାରୀ ଟିମ ଓ ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସର ଗୋଟିଏ ଟିମ ବରଫ ଅତଡ଼ା ତଳୁ ଜୀବନ ସନ୍ଧାନ କାମରେ ଲାଗି ଯାଇଥିଲେ।

ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ଯବାନମାନେ ବରଫ ଅତଡ଼ା ତଳୁ ପ୍ରଥମେ ୧୪ ଜଣଙ୍କୁ ଉଦ୍ଧାର କରି ନୀଲମକୁ ଆଣିଥିଲେ। ଏହାପରେ ଆଉ ୧୬ ଜଣଙ୍କୁ ଏନସି ପାସ୍‌ ବା ସାଧନା ପାସ୍‌କୁ ଅଣାଯାଇଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ଖାଦ୍ୟ, ମେଡିକାଲ ଯୋଗାଇ ଦିଆଯାଇଥିଲା।

ରାତି ପାହିବା ପରେ ବରଫ ଅତଡ଼ା ତଳେ ଫସିଥିବା ୧୨ଟି ଗାଡ଼ିକୁ ମଧ୍ୟ ବାହାର କରାଯାଇଛି। ପୂରା ଉଦ୍ଧାର କାର୍ଯ୍ୟ ୫ରୁ ୬ ଘଣ୍ଟା ଧରି ଚାଲିଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର ହୋଇଥିବା ଲୋକମାନେ ସୁସ୍ଥ ଥିବାରୁ ସେମାନଙ୍କୁ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ଯିବାକୁ ଅନୁମତି ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।