କାଲି ପଞ୍ଜାବରେ ବଡ଼ ଘୋଷଣା କରିବେ କେଜ୍ରିୱାଲ, ଆପରେ ମିଶିବେ କି ସିଦ୍ଧୁ

ନୂଆଦିତଲ୍ଲୀ: କଂଗ୍ରେସ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି। ୭୨ ଦିନ ପଞ୍ଜାବ କଂଗ୍ରେସର ମୁଖିଆ ଭାବେ କାର୍ଯ୍ୟ କରିବା ପରେ ନବଜୋତ ସିଂହ ସିଦ୍ଧୁ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଭବିଷ୍ୟତ ରାଜନୀତିକ ଗତିବିଧିକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଯିବେ ଆପ୍‌ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ ଆସନ୍ତାକାଲି ପଞ୍ଜାବରେ ପହଞ୍ଚି ବଡ଼ ଘୋଷଣା କରିବେ ବୋଲି ଆପ୍‌ ସୂତ୍ରରୁ ଜଣାପଡ଼ିଛି। ଆପ ପକ୍ଷରୁ ଏପରି ସୂଚନା ମିଳିବା ପରେ ସିଦ୍ଧୁ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ ଆପ୍‌ରେ ମିଶି ପାରନ୍ତି। ପୂର୍ବରୁ ସିଦ୍ଧୁ ଆପରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ କଂଗ୍ରେସ ତାଙ୍କୁ ପଞ୍ଜାବ ମୁଖିଆ କରିବାରୁ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଏବେ ସେ କଂଗ୍ରେସ ମୁଖିଆ ପଦ ଛାଡ଼ିଥିବାରୁ ସେ ଆପ୍‌ରେ ମିଶିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ସିଦ୍ଧୁ କିମ୍ବା ଆପ୍‌ କ୍ୟାମ୍ପରୁ ଏ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ। ବରଂ ସିଦ୍ଧୁ କଂଗ୍ରେସର ମୁଖିଆ ପଦ ଛାଡ଼ିବା ପରେ ଆପ୍‌ ତାଙ୍କୁ ସମାଲୋଚନା କରିଛି।

ସିଦ୍ଧୁ ଦଳିତ ବିରୋଧୀ ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସହ୍ୟ କରିପାରି ନଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା ଆପ୍‌ର ଜଣେ ନେତା କହିଛନ୍ତି। ଏପରି ସ୍ଥିତିରେ ଆପ୍‌ ସିଦ୍ଧୁଙ୍କୁ କେମିତି ଦଳରେ ସାମିଲ କରିବ, ତା’ହା ମଧ୍ୟ ବଡ଼ ପ୍ରଶ୍ନ। କିନ୍ତୁ ରାଜନୀତିରେ ସବୁ ସମ୍ଭବ। ସିଦ୍ଧୁ ଆଜି ପଞ୍ଜାବ କଂଗ୍ରେସ ମୁଖିଆ ପଦ ଛାଡ଼ିବା ପରେ ଦଳରେ ରହିବେ ବୋଲି ମଧ୍ୟ କହିଛନ୍ତି। ତେଣୁ ସିଦ୍ଧୁଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ କେଜ୍ରିୱାଲ ଆସନ୍ତାକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି। ସାଂସଦ ଭଗବନ୍ତ ସିଂହ ମନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ଆଗରେ ଅଛନ୍ତି। ହେଲେ କେଜ୍ରିୱାଲଙ୍କ ଆପ କାହାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛି, ତା’ ଉପରେ ସମସ୍ତଙ୍କ ନଜର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।