କିଛି ଦିନ ଘରୁ ବାହାରିବେନି ଆର୍ଯ୍ୟନ! ଜାଣନ୍ତୁ କାରଣ

ମୁମ୍ବାଇ: ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ୨୮ ଦିନ ପରେ ପୁଲିସ୍‌ ହେପାଜତରୁ ନିଜ ଘର ମନ୍ନତକୁ ଫେରିଛନ୍ତି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନଙ୍କୁ ୩ ତାରିଖରେ ଗିରଫ କରିବା ପରେ ୮ ତାରିଖରୁ ସେ ଜେଲ୍‌ରେ ରହିଥିଲେ। ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ ମଧ୍ୟ କାଗଜାତ କାମ ଶେଷ କରିବାକୁ ବିଳମ୍ବ ହେବାରୁ ତାଙ୍କୁ ଅତିରିକ୍ତ ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିଲା।

ଶେଷରେ ଆଜି ସେ ମନ୍ନତକୁ ଫେରିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ବାନ୍ଦ୍ରାରେ ଥିବା ଶାହରୁଖଙ୍କ ବଙ୍ଗଳା ମନ୍ନତରୁ ଆର୍ଯ୍ୟନ କିଛି ଦିନ ପଦାକୁ ବାହାରିବେ ନାହିଁ। ସେ ଘର ଭିତରେ ହିଁ ତାଙ୍କ ଦିନ କାଟିବେ।

ଶାହରୁଖଙ୍କ ଜଣେ ପାରିବାରିକ ବନ୍ଧୁ କହିଛନ୍ତି, “ଏବେ କିଛି ଦିନ ପାଇଁ ଆର୍ଯ୍ୟନ ଘରୁ ବାହାରିବେ ନାହିଁ। କାରଣ ମନ୍ନତ ବାହାରେ ଅନେକ ଫଟୋ ଗ୍ରାଫର ରହିଛନ୍ତ। ସେମାନେ ଆର୍ଯ୍ୟନ ଓ ଶାହରୁଖଙ୍କ ପରିବାରର ଲୋକଙ୍କ ଫଟୋ ନେବାକୁ ବେଶ ବ୍ୟସ୍ତ ରହିଛନ୍ତି। ଏକଥା ଶାହରୁଖ, ଆର୍ଯ୍ୟନ ଓ ତାଙ୍କ ପରିବାର ସଦସ୍ୟ ଭଲ ଭାବେ ଜାଣିଛନ୍ତି।

ଏଥିସହ ଜେଲରେ ଦୀର୍ଘ ଦିନ ରହିଥିବାରୁ ଆର୍ଯ୍ୟନ ବେଶ ଚାପ ଓ କ୍ଲାନ୍ତ ଅନୁଭବ କରୁଛନ୍ତି। ସବୁ କିଛି ସ୍ୱାଭାବିକ ହେବାକୁ ତାଙ୍କୁ କିଛି ସମୟ ଲାଗିବ। ସମ୍ଭବତଃ ଆସନ୍ତା ଶୁକ୍ରବାର ସେ ଘରୁ ବାହାରିବେ। କାରଣ ପ୍ରତି ଶୁକ୍ରବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆର୍ଯ୍ୟନଙ୍କୁ ଏନସିବି ଅଫିସରେ ଦିନ ୧୧ରୁ ୨ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ। ତେଣୁ ସେହି ସମୟରେ ହିଁ ସେ ମନ୍ନତର ବାହାରକୁ ଆସିବେ।”

ଅନ୍ୟପକ୍ଷରେ ଆଜି ଶାହରୁଖ ଓ ଆର୍ଯ୍ୟନଙ୍କୁ ଫ୍ୟାନମାନେ ଜୋରଦାର ସମର୍ଥନ କରିଛନ୍ତି। ଆର୍ଯ୍ୟନଙ୍କ ସ୍ୱାଗତ ପାଇଁ ଗୁରୁବାର ଠାରୁ ମନ୍ନତ ବାହାରେ ଶାହରୁଖଙ୍କ ଫ୍ୟାନମାନେ ଭିଡ଼ କରିଥିଲେ। ଆଜି ଆର୍ଯ୍ୟନ ପହଞ୍ଚିବା ପରେ ବାଣ ଫୁଟାଇ ଓ ବାଜା ବଜାଇ ସେମାନେ ତାଙ୍କୁ ସ୍ୱାଗତ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।