ବିଧାନସଭା ନିର୍ବାଚନ ପୂର୍ବରୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ ହେଲା ଏହି ରାଜ୍ୟ

ଗୌହାଟୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ରାଜ୍ୟପାଳ ଜଗଦୀଶ ମୁଖି ପୂରା ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କରିଛନ୍ତି। ରାଜ୍ୟରେ ଆସନ୍ତା ଏପ୍ରିଲ-ମେ’ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଏଭଳି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆର୍ମଡ ଫୋର୍ସ (ସ୍ପେଶାଲ୍‌ ପାୱାରସ)ଆଇନ ୧୯୫୮ର ଧାରା ୩ ଅନୁଯାୟୀ, ରାଜ୍ୟପାଳ ସମଗ୍ର ଆସାମକୁ ୬ ମାସ ପାଇଁ ‘ଅଶାନ୍ତ କ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି। ଏହା ଫେବ୍ରୁଆରୀ ୨୭ରୁ ଆରମ୍ଭ ହୋଇ ୬ ମାସ ଯାଏ ବଳବତ୍ତର ରହିବ। ସ୍ଥିତିକୁ ଦେଖି ଏହା ପୂର୍ବରୁ ମଧ୍ୟ ଏହାକୁ ଉଠାଯାଇ ପାରେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଶେଷଥର ପାଇଁ ଅଗଷ୍ଟ ୨୮ ତାରିଖରେ ରାଜ୍ୟପାଳ ଆସାମକୁ ୬ ମାସ ପାଇଁ ‘ଅଶାନ୍ତ କ୍ଷେତ୍ର’ ଭାବେ ଘୋଷିତ କରିଥିଲେ। ଏବେ ଏହି ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ତେବେ ଏହା ପଛର କାରଣ ସମ୍ପର୍କରେ ସରକାର କିମ୍ବା ରାଜଭବନ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ସୁରକ୍ଷାକର୍ମୀଙ୍କ ଉପରେ ହମଲା ହୋଇଥିଲା। ସେହିପରି ଆସାମର ବିଭିନ୍ନ ପ୍ରାନ୍ତରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଆସାମକୁ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ୫ଟି ଭିନ୍ନଭିନ୍ନ ବିଦ୍ରୋହୀ ସଂଗଠନର ୧,୦୪୦ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।