ରିମାଣ୍ଡରେ ସଚିନ ବାଜେଙ୍କ କ୍ରାଇମ ପାର୍ଟନର

ମୁମ୍ୱାଇ: ପୁଲିସରୁ ଅପରାଧୀ ସାଜିଥିବା ସଚିନ ବାଜେର କଳା କାରନାମା ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘରେ ବୋମା ଭର୍ତ୍ତି କାର ରଖିବା ମାମଲାରେ ଗିରଫ ହୋଇଥିବା ଏହି ଦାଗି ପୁଲିସ ଅଫିସର ଏବେ ଏନଆଇଏ ହେପାଜତରେ ରହିଛି। ଏହାରି ଭିତରେ ଏହି ମାମଲା ସହିତ ଜଡ଼ିତ ଥିବା ମନସୁଖ ହିରେନ ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଟିଏସ ଆଜି ସଚିନର ଦୁଇ କ୍ରାଇମ ପାର୍ଟନରକୁ ଗିରଫ କରି ଥାନେର ଏକ କୋର୍ଟରେ ହାଜର କରିଥିଲା। ଏହି ସମୟରେ ବହୁତ କିଛି ତଥ୍ୟ କୋର୍ଟ ଆଗରେ ରଖିଛି ଏଟିଏସ।

ମନସୁଖ ହିରେନ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛି ସଚିନ ବାଜେ। ମନସୁଖଙ୍କୁ ହତ୍ୟା କରିବା ପାଇଁ ବହୁ ଚତୁରତାର ସହ ଗୋଟି ଚଳାଇଥିଲା ସଚିନ। ନିଜେ ହତ୍ୟାର ନାଟକ ତିଆରି କରି ଗିରଫ ଅଭିଯୁକ୍ତ ତଥା ବୁକି ନରେଶ ଧରେକୁ ପାଞ୍ଚୋଟି ସିମ୍ କିଣି ଦେଇଥିଲା। ଆଉ ଏହି ସିମ ଅଦଳ ବଦଳ କରି ନରେଶ ସଚିନ ବାଜେ ସହ ଯୋଗାଯୋଗରେ ଥିଲା। ସେହିପରି ଆଉ ଜଣ ଅଭିଯୁକ୍ତ ହେଉଛି ବିନାୟକ ସିନ୍ଧେ ଯିଏକି ମୁମ୍ବାଇ ପୁଲିସର ହାବିଲଦାର ଥିଲେ। ଲଖନ ଭାୟା ମାମଲାରେ ଏହି ବିନାୟକ ସିନ୍ଧେ ନିଲମ୍ୱିତ ହେବା ପରେ ସଚିନଙ୍କ କ୍ରାଇମ ପାର୍ଟନର ସାଜିଥିଲେ ବୋଲି ଜଣାପଡ଼ିଛି।

ପୂର୍ବତନ ଶିବସେନା ନେତା ତଥା ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେର କ୍ରାଇମ ରେକର୍ଡ ଖୋଜିବାରେ ଏହି ଦୁଇ ଅଭିଯୁକ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିଛି। କୋର୍ଟରେ ହାଜର କରିବା ପୂର୍ବରୁ ଏଟିଏସ ମୁଖ୍ୟ ଜଇଜିତ ସିଂହ, ଡିଆଇଜି ଶିବଦୀପ ଲଣ୍ଡେ ଏବଂ ଅନ୍ୟାନ୍ୟ ଏଟିଏସ ଅଧିକାରୀ ଆସି ଅଭିଯୁକ୍ତଙ୍କ ପାଖରୁ ଅନେକ କିଛି ତଥ୍ୟ ସଂଗ୍ରହ କରିଥିବା ସୂଚନା ରହିଛି। ଥାନେ କୋର୍ଟରେ ହାଜର କରିବା ବେଳେ ଏଟିଏସ ୧୪ ଦିନିଆ ପୁଲିସ ରିମାଣ୍ଡ ମାଗିଥିଲା ହେଲେ କୋର୍ଟ ୯ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଅର୍ଥାତ୍ ମାର୍ଚ୍ଚ ୩୦ ଯାଏ ସଚିନଙ୍କ କ୍ରାଇମ ପାର୍ଟନର ପୁଲିସ ହେପାଜତରେ ରହିବେ।

ସୂଚନାଯୋଗ୍ୟ, ଫେବୃଆରୀ ୨୫ରେ ଅମ୍ୱାନୀଙ୍କ ଘରେ ଆଗରେ ବୋମା ଭର୍ତ୍ତି ସ୍କୋର୍ପିଓ ଦେଖିବାକୁ ମିଳିଥିଲା। ଏହି କାରରେ ଜିଲେଟିନ ଭଳି ବିସ୍ଫୋରକ ସାମଗ୍ରୀ ଥିଲା। ଏହାପରେ କାରଟି ମନସୁଖଙ୍କର ବୋଲି ଜଣାପଡ଼ିଥିଲା। ଆଉ ପୁଲିସ ମନସୁଖଙ୍କୁ ଜେରା କରିବା ବେଳେ ସେ କହିଥିଲେ ତାଙ୍କ କାର ଚୋରି ହୋଇଯାଇଥିଲା ଏଥିପାଇଁ ସେ ଥାନାରେ ଏଫଆଇଆର ଦେଇଥିଲେ। ଏହାର କିଛିଦିନପରେ ମନସୁଖଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଛି। ଆଉ ମନସୁଖଙ୍କ ପତ୍ନୀ ବିମଳା ଏହାପରେ ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। କାରଣ କାରଟିର ମନସୁଖଙ୍କର ହେଲେ ସଚିନ ବାଜେ ଗତବର୍ଷ ନଭେମ୍ୱର ମାସ ପାଖରୁ ଚଢ଼ୁଥିଲେ। ଫେବୃଆରୀରେ ଷ୍ଟିଅରିଂ କାମ କରୁନି ବୋଲି କହି ଫେରାଇ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।