ସହଦେବ ସାହୁ ଓ ଅନୀଲ ଧିରଙ୍କୁ ଜାତୀୟ ସମ୍ମାନ

ମୁମ୍ବାଇ: ‘The Philatelic Congress of India’ ପକ୍ଷରୁ ୨୦୨୧ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଘୋଷିତ ହୋଇଥିବା ପୁରସ୍କାର ପାଇଁ ଓଡ଼ିଶାର ସାତ ଜଣ ଡାକଟିକେଟ ସଂଗ୍ରହକଙ୍କୁ ମନୋନୀତ କରାଯାଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ‘Philatelic ରତ୍ନ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଅନିଲ ଧିରଙ୍କୁ ସମ୍ମାନଜନକ ‘Fellow’ ଉପାଧିରେ ଭୂଷିତ କରାଯିବ। ଏହି ପୁରସ୍କାର ପାଇବାରେ ଶ୍ରୀ ଧିର ଓଡ଼ିଶାର ପ୍ରଥମ ବ୍ୟକ୍ତି।

ଏହା ବ୍ୟତୀତ ଶାନ୍ତିସ୍ୱରୂପ ରଥ, ଶକିଲ ଅହମଦ, ଅଜିତ କୁମାର ଦାଶ, ଅଜିତ କୁମାର ରାଉତ ଓ ଜୀବନଜ୍ୟୋତି ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ଦୁଇ ପ୍ରମୁଖ ଡାକଟିକେଟ ସଂଗ୍ରହ ସଂସ୍ଥା ‘The Eastern India Philatelists’ ଓ ‘The Philatelic Association’କୁ ମଧ୍ୟ ମାନପତ୍ର ପ୍ରଦାନ କରାଯିବ।

ଡାକଟିକେଟ ଐତିହାସିକ ଅନିଲ ଧିର କହିଛନ୍ତି, ଡାକ ଟିକେଟ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ରାଜଧାନୀରେ ରୂପାନ୍ତରିତ ହୋଇଛି। ଆମ ରାଜ୍ୟରେ ଦେଶର କିଛି ସର୍ବଶ୍ରେଷ୍ଠ ଡାକଟିକେଟ ସଂଗ୍ରହକ ଅଛନ୍ତି। ତେଣୁ ରାଜ୍ୟରୁ ଏତେ ସଂଖ୍ୟକ ବ୍ୟକ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ। EIPAର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଅବଦାନ ମନେପକାଇ ଶ୍ରୀ ଧିର କହିଛନ୍ତି ଏକଦା ହଜିଯିବାକୁ ବସିଥିବା ଏହି ଡାକଟିକେଟ ସଂଗ୍ରହ ଉଦ୍ୟମ ଆଜି ପୁଣି ଉର୍ଧଗାମୀ ହେବାରେ ଲାଗିଛି।

EIPA ର ସମ୍ପାଦକ ଶାନ୍ତିସ୍ୱରୂପ ରଥ ଡାକଟିକେଟ ସଂଗ୍ରହ କ୍ଷେତ୍ରରେ ସଂଗ୍ରହକମାନଙ୍କର ଉଦ୍ୟମକୁ ଉଚ୍ଚ ପ୍ରଂଶସା କରିଛନ୍ତି।
‘Odisha Special Cover’ ର ରଚୟିତା ଡ ବିଭୁଦତ୍ତ ମିଶ୍ରଙ୍କ ମତରେ ଡାକଟିକେଟ ସଂଗ୍ରହ ରୁଚିକୁ ବଞ୍ଚାଇ ରଖିବାକୁ ହେଲେ ଇଣ୍ଡିଆ ପୋଷ୍ଟକୁ ପ୍ରମୁଖ ଭୂମିକା ନିର୍ବାହ କରିବା ଏକାନ୍ତ ଆବଶ୍ୟକ। ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରଦର୍ଶନୀ ଓ କର୍ମଶାଳା ଅନୁଷ୍ଠିତ ହେବା ଜରୁରୀ।

ଜଣାଶୁଣା ଡାକଟିକେଟ ସଂଗ୍ରହକ ଶକିଲ ଅହମଦ ନିକଟରେ କଟକରେ ‘Philatelic Beaureu’ ବନ୍ଦ ହେବା ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ଡାକଟିକେଟ ସଂଗ୍ରହକମାନଙ୍କ ତରଫରୁ ତୀଵ୍ର ବିରୋଧ ପରେ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖାଯାଇଥିଲା।।

EIPA ର ସଂସ୍ଥାପକ ସଭ୍ୟ ଅଜିତ କୁମାର ଦାଶ କହିଛନ୍ତି ଏପରି ପୁରସ୍କାର ଡାକଟିକେଟ ସଂଗ୍ରହକ ମାନଙ୍କ ମଧ୍ୟରେ ଏହି ରୁଚି ପ୍ରତି ନୂତନ ଆଗ୍ରହ ସୃଷ୍ଟି କରିବ। ଶ୍ରୀ ଦାଶ, ଓଡିଶା ପୋଲିସ ବିଭାଗରୁ Additional SP ପଦବୀରେ ଅଵସର ଗ୍ରହଣ କରିଛନ୍ତି ଏବଂ ଏକ ଶ୍ରେଷ୍ଠ ‘Forensic Expert’ ଭାବରେ ସେ ସାରା ଦେଶରେ ଜଣାଶୁଣା। ଏହାବ୍ୟତୀତ ଶ୍ରୀ ଦାଶ ‘Odisha Dogs & Scouts & Guides’ କ୍ଷେତ୍ରରେ ଅନେକ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଛନ୍ତି।

ଯୁବ ଡାକଟିକେଟ ସଂଗ୍ରହକ କାଶୀନାଥ ସାହୁଙ୍କ ମତରେ ଓଡ଼ିଶାରେ କିଛି ବିରଳ ଡାକ ଐତିହ୍ୟ ଦେଖିବାକୁ ମିଳେ। ସେଥିମଧ୍ୟରୁ ବିଶ୍ୱର ଏକମାତ୍ର ‘Pigeon Post’, ଦେଶର ସର୍ବପୁରାତନ ଚିଠି ବାକ୍ସ, ବାମଣ୍ଡା ରାଜ୍ୟର ବ୍ରିଟିଶ ସମୟର ପୋଷ୍ଟେଜ ଷ୍ଟାମ୍ପ ଓ କିଛି ପୁରାତନ ଐତିହାସିକ ଡାକଘର ଉଲ୍ଲେଖଯୋଗ୍ୟ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।