ଅଖିଲେଶଙ୍କ ଗଡ଼ରେ ଶାହ-ଯୋଗୀଙ୍କ ରଣହୁଙ୍କାର, କହିଲେ ବଦଳିବ ଆଜମଗଡ଼ର ନାଁ

ଆଜମଗଡ଼: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଗଡ଼ କୁହାଯାଉଥିବା ଆଜମଗଡ଼ରେ ଆଜି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ରଣହୁଙ୍କାର ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉଭୟ ଏଠାରେ ଦଳର ପ୍ରଚାର କରିବା ସହ ଅଖିଲେଶ ଯାଦବଙ୍କ ଉପରେ ବର୍ଷିଛନ୍ତି।

ପୂର୍ବରୁ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନର ନାଁ ବଦଳାଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ଯୋଗୀ ଆଜମଗଡ଼ରେ ସମାନ ପଦକ୍ଷେପ ନିଆଯିବ ବୋଲି ଦମ୍ଭୋକ୍ତି କରିଛନ୍ତି। ଆଜମଗଡ଼ର ନାଁ ବଦଳାଇ ଆର୍ଯ୍ୟମଗଡ଼ କରାଯିବା ସପକ୍ଷରେ ସେ ଯୁକ୍ତି ରଖିଛନ୍ତି।

ଏହି ରାଲିରେ ଶ୍ରୀ ଶାହ ବିଜେପି ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ବେଳେ ଯୋଗୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ ମଧ୍ୟ କହି ସାରିଛି ଯେ ଆଜମଗଡ଼ରେ ଆମର ଅଧିକାଂଶ ବିଧାନସଭା ଆସନ ନାହିଁ।

କିନ୍ତୁ ଏବେ ବହୁତ ହୋଇଗଲା। ମୁଁ ଆଜି କହୁଛି ଯେ ଆପଣମାନେ ଏଠାରେ ଥିବା ସବୁ ବିଧାନସଭା ଆସନ ବିଜେପିକୁ ଦିଅନ୍ତୁ। ଏହାଦ୍ୱାରା ଯୋଗୀ ଆଦିତ୍ୟନାଥ ପୁଣିଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିବେ।”

ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କ୍ରମାଗତ ଦ୍ୱିତୀୟ ଥର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପି କ୍ଷମତା ଦଖଲ କରିବାକୁ ଏବେ ଠାରୁ ହିଁ ପ୍ରଚାର ପ୍ରସାର କରୁଛି।

ଅମିତ ଶାହ ନିକଟରେ ଅଖିଲେଶ ଯାଦବ ଦେଇଥିବା ଜିନ୍ନା ବୟାନକୁ ମଧ୍ୟ ଆଜି ଉଠାଇଛନ୍ତି। ସେ କହିଛନ୍ତି, “ଅଖିଲେଶ ଯାଦବଙ୍କ ପାଇଁ ଜିନ୍ନାଙ୍କ ସ୍ଥାନ ବେଶ ସ୍ୱତନ୍ତ୍ର।” ଏହାପରେ ଉତ୍ତର ପ୍ରଦେଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ କରିଥିବା ଯୋଜନା ସମ୍ପର୍କରେ ଶ୍ରୀ ଶାହ ସୂଚନା ଦେବା ସହ ନିଜ ସରକାରର ପ୍ରଶଂସା କରିଥିଲେ।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଜୀ ଭାରତ ଓ ୟୁପି ପାଇଁ ଜେଏଏମ ଯୋଜନା କରିଛନ୍ତି। ଜେ-ଜନ ଧନ ଆକାଉଣ୍ଟ ବ୍ୟାଙ୍କ, ଏ- ଆଧାର କାର୍ଡ ଓ ଏମ-ସମସ୍ତଙ୍କ ପାଇଁ ମୋବାଇଲ। ଯେତେବେଳେ ମୁଁ ଏକଥା ଗୁଜରାଟରେ କହିଲି ସେତେବଳେ ସମାଜବାଦୀ ପାର୍ଟି କହିଥିଲା ଯେ ସେମାନଙ୍କ ପାଖରେ ମଧ୍ୟ ଗୋଟିଏ ଜେଏଏମ ରହିଛି।

ମୁଁ ଜଣେ ସାମ୍ବାଦିକଙ୍କୁ ସପାର ଜେଏଏମ ବିଷୟରେ ପଚାରିଲି। ସେ କହିଥିଲେ ଯେ ସପାର ଜେର ଅର୍ଥ ଜିନ୍ନା, ଏର ଅର୍ଥ ଆଜମ ଖାନ ଓ ଏମର ଅର୍ଥ ମୁକ୍ତାର। ଏବେ ଆପଣମାନେ କୁହନ୍ତୁ, ଆପଣମାନେ ସମାଜବାଦୀ ପାର୍ଟିର ଜେଏଏମ ଚାହାନ୍ତି ନା ଆମର ଜେଏଏମ ଚାହାନ୍ତି?

ଅଖିଲେଶ ଯାଦବ ନିର୍ବାଚନ ପାଖେଇ ଆସିବାରୁ ଜିନ୍ନାଙ୍କ ଭିତରେ ମହାନତା ଦେଖିବାର ଆରମ୍ଭ କଲେ। ଏଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ବସିଛନ୍ତି। କ’ଣ କେହି ଜିନ୍ନା ମହାନ ବୋଲି କେହି ଭାବୁଛନ୍ତି? କେହି ବି ନୁହନ୍ତି। କେବଳ ଅଖିଲେଶ ଯାଦବ ହିଁ ଏକଥା ଭାବୁଛନ୍ତି।”

ଅକ୍ଟୋବର ୩୧ରେ ଅଖିଲେଶ ଯାଦବ କହିଥିଲେ ଯେ “ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଓ ଜିନ୍ନା ଗୋଟିଏ ଅନୁଷ୍ଠାନରେ ପଢ଼ିବା ସହ ବାରିଷ୍ଟର ହୋଇଥିଲେ। ସେମାନେ ବାରିଷ୍ଟର ହୋଇଥିଲେ ଓ ଏକାଠି ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିଲେ। ସେମାନେ କେବେ ହେଲେ କୌଣସି ସଂଘର୍ଷ ବେଳେ ପଛ ଘୁଞ୍ଚା ଦେଇ ନଥିଲେ। ଏହାକୁ ନେଇ ବେଶ ବିବାଦ ହୋଇଥିଲା। ମହମ୍ମଦ ଜିନ୍ନା ପାକିସ୍ତାନର ପ୍ରତିଷ୍ଠାତା ହୋଇଥିବା ବେଳେ ତାଙ୍କ ବିଷୟରେ ଅଖିଲେଶଙ୍କ ବୟାନକୁ ବିଜେପି କଡ଼ା ଭାଷରେ ବିରୋଧ କରିଥିଲା।

ଆଜି ଅମିତ ଶାହଙ୍କ ବ୍ୟତୀତ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜମଗଡ଼ ସଭାରେ ସପାର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଓ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆଜମଗଡ଼ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଇଛି ଓ ସେମାନଙ୍କୁ ଲୋକସଭା ପଠାଇଛି।

କିନ୍ତୁ ସେମାନଙ୍କ ପାଇଁ ଆଜମଗଡ଼ର ପରିଚୟ ସବୁବେଳେ ଗୌଣ୍ୟ ହୋଇ ରହିଛି। ୨୦୧୪ ପୂର୍ବରୁ ଆଜମଗଡ଼ର ଲୋକ ଦେଶର ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ହୋଟେଲ ପାଇବାକୁ ବହୁ କଷ୍ଟ କରୁଥିଲେ। ଆଜମଗଡ଼କୁ ନେଇ ବାହାର ଲୋକଙ୍କ ମନରେ ଗୋଟିଏ ଖରାପ ଚିନ୍ତା ଧାରା ରହିଥିଲା।

ବର୍ତ୍ତମାନ ଆଜମଗଡ଼ର ନାଁକୁ ଆର୍ଯ୍ୟମଗଡ଼ ଭାବେ ବଦଳାଇବାକୁ ଦାବି ହେଉଛି। ରାଜ୍ୟର ନୂଆ ବିଶ୍ୱବିଦ୍ୟାଳୟ ଆଜମଗଡ଼କୁ ନିଶ୍ଚିତ ଆର୍ଯ୍ୟମଗଡ଼ରେ ପରିବର୍ତ୍ତନ କରିବାର ବ୍ୟବସ୍ଥା କରିବ।” ଏହି ନୂଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ହିଁ ଅମିତ ଶାହ ଆଜମଗଡ଼ରେ ପହଞ୍ଚିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।