ରାଜନୀତିକୁ ବାଏବାଏ କହିଥିଲେ, କିନ୍ତୁ ଏବେ ୟୁ-ଟର୍ଣ୍ଣ ନେଲେ ବାବୁଲ ସୁପ୍ରିୟୋ

କୋଲକାତା: ଘଡ଼ିକେ ଘୋଡ଼ା ଛୁଟିବା ଭଳି ସିଙ୍ଗରରୁ ରାଜନେତା ବନିଥିବା ବାବୁଲ ସୁପ୍ରିୟୋ ମଧ୍ୟ ନିଜର ମତ ବଦଳାଇବାରେ ଲାଗିଛନ୍ତି। ବିଜେପିର ବରିଷ୍ଠ ନେତା ବାବୁଲ ଦୁଇ ଦିନ ତଳେ ରାଜନୀତିକୁ ବାଏବାଏ କହିବା ସହ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ହେଲେ ଆଜି ସେ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ରାଜନୀତିକୁ ଫେରିବେ ବୋଲି ସିଧାସଳଖ କହି ନଥିଲେ ମଧ୍ୟ ସାଂସଦ ପଦରେ ରହିବେ ବୋଲି କହିଛନ୍ତି। ସେ କହିଛନ୍ତି, “ରାଜନୀତିରେ ସକ୍ରିୟ ନ ରହି ମଧ୍ୟ ମୁଁ ମୋର ସାମ୍ବିଧାନିକ କର୍ତ୍ତବ୍ୟ କରିବି। ମୁଁ ସାଂସଦ ପଦରେ ରହିବି।”

ଶନିବାର ବାବୁଲ ରାଜନୀତିକୁ ହଠାତ୍‌ ବାଏବାଏ କହିବାରୁ ବିଜେପି କ୍ୟାମ୍ପରେ କମ୍ପନ ସୃଷ୍ଟି ହୋଇଥିଲା। ବାବୁଲ ରାଜନୀତି ଛାଡ଼ିବା ପଛରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ବୋଲି ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଥିଲେ। ଏସବୁ ଭିତରେ ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ଦୀର୍ଘ ସମୟ ଧରି ବାବୁଲ ତାଙ୍କ ସହ ବୈଠକ କରିଥିଲେ। ସମ୍ଭବତଃ ଏହି ସମୟରେ ଶ୍ରୀ ନଡ୍ଡା ତାଙ୍କୁ ସାଂସଦ ପଦ ନ ଛାଡ଼ିବାକୁ ବୁଝାଇଛନ୍ତି। କାରଣ ବୈଠକ ପରେ ହିଁ ବାବୁଲ ସାଂସଦ ପଦରେ ରହିବେ ବୋଲି ସର୍ବସମ୍ମୁଖରେ ଘୋଷଣା କରିଛନ୍ତି। ଏହାପୂର୍ବରୁ ବାବୁଲଙ୍କୁ ମନେଇବା ପାଇଁ ବିଜେପି ହାଇକମାଣ୍ଡ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କୁ ଦାୟିତ୍ୱ ଦେଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ବାବୁଲ ପଶ୍ଚିମବଙ୍ଗର ଆସନସୋଲରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ଶନିବାର ସୋଶାଲ ମିଡିଆରେ ରାଜନୀତିକୁ ଗୁଡବାଏ କହିଥିଲେ।

ବାବୁଲ ସେଦିନ କହିଥିଲେ ଯେ ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍‌ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ବାସ ଏତିକି।

ଆସନସୋଲରୁ ୨ ଥର ସାଂସଦ ହୋଇଥିବା ବାବୁଲ ୨୦୧୪ରୁ ୨୦୧୬ ଯାଏ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦି ୨.୦ ସରକାର ଆସିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।

ତେବେ ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ରହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।