ଚାଷୀଙ୍କ ପାଇଁ ଆନ୍ଦୋଳନ କରି ବାଦଲ, କୌରଙ୍କ ସମେତ ୧୩ ଅଟକ

ନୂଆଦିଲ୍ଲୀ: ବିନା ଅନୁମତିରେ ନିଜ ସମର୍ଥକଙ୍କ ସହ ଦିଲ୍ଲୀରେ ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ଅକାଳୀ ଦଳର ସୁଖବୀର ସିଂହ ବାଦଲ, ହରସମିରତ କୌରଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ପୁଲିସ୍‌ ଏମାନଙ୍କୁ କାବୁ କରିବା ପରେ ସଂସଦ ମାର୍ଗ ପୁଲିସ୍‌ ଷ୍ଟେସନକୁ ନେଇଛି।

ସେଠାରେ ସମସ୍ତଙ୍କୁ ଅଟକ ରଖାଯାଇଛି। ଅକାଳୀ ଦଳର ନେତାମାନେ ଚାଷୀଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ବିରୋଧରେ ପୁଲିସ୍‌ ବଳ ପ୍ରୟୋଗ କରିଥିବା ବାଦଲ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ନରେନ୍ଦ୍ର ମୋଦି ସରକାର ଓ ହରିଆଣା ସରକାର ଆମ କର୍ମୀମାନଙ୍କୁ ବିକ୍ଷୋଭ ଶୋଭାଯାତ୍ରା ବେଳେ ଅଟକାଇଛନ୍ତି। ସେମାନେ ଆମ ଉପରେ ଲାଠି ପ୍ରହାର କରିବା ସହ ଗାଡ଼ି ଭାଙ୍ଗି ଦେଇଛନ୍ତି। ଗୋଟିଏ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରକୁ ରୋକା ଯାଇଛି। କେବଳ ପଞ୍ଜାବ ନୁହେଁ ସମଗ୍ର ଦେଶ କେନ୍ଦ୍ର ସରକାରଙ୍କ ବିରୋଧରେ ରହିଛି ବୋଲି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ଦେବାକୁ ଆସିଥିଲୁ।”


ଆଜିକୁ ଠିକ୍‌ ବର୍ଷକ ତଳେ କେନ୍ଦ୍ର ସରକାର କୃଷି ବିଲ୍‌ ଆଣିଥିଲେ। ତେଣୁ ଅକାଳୀ ଦଳ କୃଷି ଆଇନକୁ ବିରୋଧ କରି ଆଜିର ଦିନକୁ କଳା ଦିବସ ଭାବେ ପାଳନ କରୁଛି। ଏଥିପାଇଁ ଆଜି ଦଳ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଦଳ ପକ୍ଷରୁ ଗୁରୁଦ୍ୱାର ତଲାବ ଗଞ୍ଜ ଶାହିବରୁ ସଂସଦ ହାଉସ ଅଭିମୁଖେ ଶୋଭାଯାତ୍ରା କରାଯିବାକୁ ଥିଲା।

ତେବେ ଶୋଭାଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ଅକାଳୀ ଦଳ କର୍ମୀ ମୁହାଁମୁହିଁ ହୋଇଥିଲା। ଅକାଳୀ ଦଳର ବିକ୍ଷୋଭ ପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।