ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି? ତା’ହେଲେ ସେଗୁଡ଼ିକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ।

ତେବେ ଆସନ୍ତୁ ଜାଣିବା କାହିଁକି ବ୍ୟାଙ୍କ ଗୁଡ଼ିକ ଏତେ ଦିନ ବନ୍ଦ ରହିବ-

ପ୍ରଥମେ ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତର ୩ଦିନ ବ୍ୟାଙ୍କ ବନ୍ଦ ରହିବ। କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର। ସେହିପରି ଏହାର ପରଦିନ ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ସୋମବାର ହୋଲି ଥିବାରୁ ବ୍ୟାଙ୍କ ଗୁଡ଼ିକର ତାଲା ଫିଟିବ ନାହିଁ।

ଆରବିଆଇର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୩୦ରେ କେବଳ ପାଟନା (ବିହାର)ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। କାରଣ ଏଠାରେ ହୋଲି ଉତ୍ସବ ୩୦ ମାର୍ଚ୍ଚରେ ପାଳନ କରାଯିବ। ଏହି ଦିନ ଦେଶର ବାକି ପ୍ରାନ୍ତରେ ବ୍ୟାଙ୍କ ସେବା ଉପଲବ୍ଧ ହେବ। ପାଟନାରେ ୨୭ ମାର୍ଚ୍ଚରୁ ୪ ଏପ୍ରିଲ ମଧ୍ୟରେ ମାତ୍ର ଦୁଇ ଦିନ ବ୍ୟାଙ୍କ ଖୋଲା ରହିବ।

ମାର୍ଚ୍ଚ ୩୧ରେ ଦେଶର ସମସ୍ତ ବ୍ୟାଙ୍କ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ। କାରଣ ଆର୍ଥିକ ବର୍ଷର ଶେଷ ଦିନରେ ବ୍ୟାଙ୍କଗୁଡ଼ିକରେ ଫାଇଲ କାମଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।

ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା

୧- ମାର୍ଚ୍ଚ: ୨୭- ମାସର ୪ର୍ଥ ଶନିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ

୨-ମାଚ୍ଚ: ୨୮- ରବିବାର

୩-ମାର୍ଚ୍ଚ:୨୯- ହୋଲି ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ।

୪-ମାର୍ଚ୍ଚ:୩୦- ପାଟନାରେ ହୋଲି ଉତ୍ସବ ପାଳନ ହେବାକୁ ଥିବାରୁ ଏଠାରେ ବ୍ୟାଙ୍କ ବନ୍ଦ ରହିବ। ଅନ୍ୟ ସ୍ଥାନରେ ବ୍ୟାଙ୍କ ଖୋଲା ରହିବ।

୫-ମାର୍ଚ୍ଚ: ୩୧-ଆର୍ଥିକ ବର୍ଷର ଶେଷ ଦିନରେ କ୍ଲୋଜିଂ କାମ ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଏଥିସହ ଆରବିଆଇର ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୧ରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। କାରଣ ବ୍ୟାଙ୍କର ଆକାଉଣ୍ଟ ବନ୍ଦ ପାଇଁ ସେ ଦିନ କର୍ମଚାରୀମାନେ କାମ କରିବେ। ଏପ୍ରିଲ ୨ରେ ଗୁଡ୍‌ ଫ୍ରାଇଡେ ପଡ଼ୁଥିବାରୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ।

ସେହିପରି ଏପ୍ରିଲ ୪ ହେଉଛି ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ଏପରି ଭାବେ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏ ବ୍ୟାଙ୍କ ଗୁଡ଼ିକ ୭ ଦିନ ବନ୍ଦ ରହିବ।

ବ୍ୟାଙ୍କ ବନ୍ଦ ରହିବାକୁ ଥିଲେ ହେଁ ଲୋକମାନେ ଇଣ୍ଟରନେଟ୍‌ ବ୍ୟାକିଂ ଓ ଏଟିଏମ‌ ସୁବିଧା ପାଇ ପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।