ଘୋଷଣା ହେଲା ଆଶିଂକ ଲକଡାଉନ: କ’ଣ ଖୋଲିବ, କ’ଣ ବନ୍ଦ

କୋଲକାତା: ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ପୂରା ରାଜ୍ୟରେ ଆଶିଂକ ଲକଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ଏହି ଲକଡାଉନ ଆସନ୍ତାକାଲି ଠାରୁ ଲାଗୁ ହେବ। ଲକଡାଉନ ବେଳେ ଶପିଂ କମ୍ଲେକ୍ସ, ସିନେମା ହଲ, ବିୟୁଟି ପାର୍ଲର, ସ୍ପା ସଂପୂର୍ଣ୍ଣ ବନ୍ଦ ରହିବ। ମାର୍କେଟଗୁଡ଼ିକ ଦୈନିକ ୫ ଘଣ୍ଟା ଖୋଲିବ। ପ୍ରଥମେ ସକାଳ ୭ଟାରୁ ୧୦ ଓ ପରେ ୩ଟାରୁ ୫ ଟାଏ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ।

ରାଜ୍ୟ ସରକାର କହିଛନ୍ତି, ଲକଡାଉନ ବେଳେ ରେଷ୍ଟୁରାଣ୍ଟ, ବାର, ଜିମ ଓ ସୁଇମିଂ ପୁଲ୍‌ ବନ୍ଦ ରହିବ। ତେବେ ହୋମ ଡେଲିଭରୀ ଓ ଅନ୍ୟ ଅନଲାଇନ କାରବାର ଚାଲୁ ରହିବ। ରାଜ୍ୟରେ ସମସ୍ତ ପ୍ରକାରର ସାଂସ୍କୃତିକ, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ବ୍ୟାନ କରାଯାଇଛି। ଔଷଧ ଦୋକାନ ଓ ଗ୍ରୋସରୀ ଦୋକାନକୁ ଆଶିଂକ ଲକଡାଉନରୁ ବାଦ ଦିଆଯାଇଛି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ୨ ତାରିଖରେ ପ୍ରକାଶ ପାଇବ। ସେହିଦିନ ଭୋଟ ଗଣତି ହେବ ଓ ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିବେ। ଭୋଟ ଗଣତି ବେଳେ କରୋନା କଟକଣାର ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସରକାର କହିଛନ୍ତି।

ପଶ୍ଚିମବଙ୍ଗରେ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ତାଳ ଦେଇ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ରେକର୍ଡ ୮୯ ଜଣ କରୋନାରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୧,୨୪୮କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୧୦,୪୦୩ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୧୦,୯୫୫କୁ ବୃଦ୍ଧି ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।