ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ ଭାରତ! ସମର୍ଥନ ଘୋଷଣା କଲେ ବାଇଡେନ

ନୂଆଦିଲ୍ଲୀ: ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ଜୋରଦାର ଉଦ୍ୟମ କରିବ ଆମେରିକା। ଏଥିସହ ଭାରତ ମଧ୍ୟ ଆଣିବିକ ସପ୍ଲାଏ ଗ୍ରୁପ୍‌ରେ ସାମିଲ ହେବ। ଏ କ୍ଷେତ୍ରରେ ମଧ୍ୟ ଭାରତକୁ ଆମେରିକା ସମର୍ଥନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ପାକ୍ଷିକ ଆଲୋଚନା କରିବା ବେଳେ ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଶୁକ୍ରବାର ହ୍ୱାଇଟ ହାଉସରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟ ନେତା ଆତଙ୍କାବଦ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା, କରୋନା ଓ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହୋଇଛନ୍ତି। ଏହି ସମୟରେ ରାଷ୍ଟ୍ରପତି ବାଇଡେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଓ ଏନଏସ୍‌ଜିରେ ଭାରତକୁ ସାମିଲ କରିବା ପାଇଁ ଆମେରିକା ସମର୍ଥନ ଦେବ ବୋଲି ମୋଦିଙ୍କୁ ଅବଗତ କରାଇଛନ୍ତି।

୨୦୨୧ ଅଗଷ୍ଟରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବେଶ ଚମତ୍କାର ଢଙ୍ଗରେ କରିଥିବାରୁ ଏହାକୁ ମଧ୍ୟ ବାଇଡେନ ପ୍ରଶଂସା କରିଛନ୍ତି। ଭାରତ ଦୀର୍ଘ ଦିନ ହେଲାଣି ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବାକୁ ପ୍ରୟାସ କରୁଛି। ହେଲେ ଏଯାଏ ଏହା ସମ୍ଭବ ହୋଇପାରି ନାହିଁ।

ଆମେରିକା ଏବେ ଭାରତକୁ ସମର୍ଥନ କରିଥିବାରୁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ ୫ଟି ଦେଶ ସ୍ଥାୟୀ ସଦସ୍ୟ ଭାବେ କାମ କରୁଥିବା ବେଳେ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଏହି ଅସ୍ଥାୟୀ ସଦସ୍ୟଙ୍କୁ ପ୍ରତି ୨ ବର୍ଷରେ ଥରେ ମିଳିତ ଜାତିସଂଘର ସାଧାରଣ ଆସେମ୍ୱ୍ଲି ପକ୍ଷରୁ ମୋନନୀତ କରିଥାଏ।

ଜାତିସଂଘର ୫ ସ୍ଥାୟୀ ସଦସ୍ୟ ହେଲେ ରୁଷ, ଆମେରିକା, ଚାଇନା, ଫ୍ରାନ୍ସ ଓ ବ୍ରିଟେନ। ଏମାନଙ୍କ ପାଖରେ କୌଣସି ସଂକଳ୍ପ ପାଇଁ ଭିଟୋ କ୍ଷମତା ରହିଛି। ଏହି ଭିଟୋ କ୍ଷମତା ବଳରେ ଚାଇନା ବାରମ୍ବାର ମାସୁଦ ଆଝାରକୁ ଆତଙ୍କୀ ତାଲିକାରେ ସାମିଲ କରିବା ପାଇଁ ଆସୁଥିବା ସଂକଳ୍ପକୁ ରୋକିବାରେ ସକ୍ଷମ ହୋଇଥିଲା।

ସେହିପରି ୨୦୧୬ରୁ ଭାରତ ଏନଏସଜିରେ ସାମିଲ ହେବାକୁ ଆବେଦନ କରିଛି। ଭାରତ ସହ ପାକିସ୍ତାନ ସମାନ ଭାବେ ଆବେଦନ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।