ଅନୀଲ ଅମ୍ବାନୀଙ୍କ ବଡ଼ ବିଜୟ, ପାଇବେ ୪,୮୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋ ମାମଲାରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରା ଲିଃକୁ ସୁପ୍ରିମକୋର୍ଟରୁ ବଡ଼ ବିଜୟ ମିଳିଛି। ଏହି ମାମଲାଲରେ ପୂର୍ବରୁ ମିଳିଥିବା ଆର୍ବିଟ୍ରାଲ ଆୱାର୍ଡ(ମଧ୍ୟସ୍ଥତା) ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାର ଅର୍ଥ ଅନୀଲ ଅମ୍ବାନୀଙ୍କ କମ୍ପାନୀ ୨୮୦୦ କୋଟି ଟଙ୍କାର ଆର୍ବିଟ୍ରାଲ ଆୱାର୍ଡ ସହ ସୁଧକୁ ମିଶାଇ ମୋଟ ୪,୮୦୦ କୋଟି ଟଙ୍କା ପାଇବ।

ଏହି ଅର୍ଥକୁ ପୈଠ କରିବା ପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ(ଡିଏମଆରସି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୂର୍ବ ରାୟ ବିରୋଧରେ ଡିଏମଆରସି କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

୨୦୦୮ରେ ରିଲାଏନ୍ସ ଇନଫ୍ରା ଓ ଡିଏମଆରସି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋର ନିର୍ମାଣ ଏବଂ ଅପରେସନ ପାଇଁ ଚୁକ୍ତି ହୋଇଥିଲା। ୨୦୩୮ ଯାଏ ଏହାକୁ ରିଲାଏନ୍ସ ପରିଚାଳନା କରିବାର ଥିଲା। ତେବେ ୨୦୧୨ରେ ଫି’ ଓ ଅପରେସନକୁ ନେଇ ବିବାଦ ଦେଖାଦେଇଥିଲା।

ଏହି ଚୁକ୍ତିକୁ ବାତିଲ କରି ଅମ୍ବାନୀଙ୍କ କମ୍ପାନୀ କ୍ଷତି ପୂରଣ ପାଇଁ ଆର୍ବିଟେସନ କେସ୍‌ ଡିଏମଆରସି ବିରୋଧରେ କରିଥିଲେ। କମ୍ପାନୀ ତା’ ଆବେଦନରେ କହିଥିଲା ଯେ ଡିଏମଆରସି ଚୁକ୍ତିକୁ ଉଲ୍ଲଙ୍ଘନ କରିଛି। ତେଣୁ ଚୁକ୍ତି ବାତିଲ ପାଇଁ ଡିଏମଆରସି କ୍ଷତି ପୂରଣ ଦେଉ।

୨୦୧୭ରେ arbitration tribunal ମାମଲାର ଶୁଣାଣ କରି ଡିଏମଆରସିକୁ ୨୮ଶହ କୋଟି ଟଙ୍କା ସୁଧ ସହ ଦେବାକୁ କହିଥିଲେ। ଏହା ରାୟକୁ ଡିଏମଆରିସି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟଙ୍କ ଜଣିକିଆ ବେଞ୍ଚ ୨୦୧୮ରେ arbitration tribunalଙ୍କ ରାୟକୁ କାଏମ ରଖିଥିଲେ।

କିନ୍ତୁ ୨୦୧୯ରେ ଡିଭିଜନାଲ ଏହା ବିରୋଧରେ ରାୟ ଦେଇଥିଲେ। ଫଳରେ ରିଲାଏନ୍ସ ଇନଫ୍ରା ସୁପ୍ରିମକୋର୍ଟ ଯାଇ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଆଜି ହାଇକୋର୍ଟଙ୍କ ରାୟକୁ ଖାରଜ କରି ୨୦୧୭ରେ arbitration tribunal ଦେଇଥିବା ରାୟକୁ କାଏମ ରଖିଛନ୍ତି।

ରିଲାଏନ୍ସ ଇନଫ୍ରା ସୁପ୍ରିମକୋର୍ଟରେ ବଡ଼ ବିଜୟ ହାସଲ କରିବାରୁ ଆଜି ଶେୟାର ମାର୍କେଟରେ ଚହଳ ପଡ଼ିଛି। କମ୍ପାନୀର ଶେୟାର ଆଜି ପ୍ରାୟ ୫% ବୃଦ୍ଧି ପାଇଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।