ପୁଲିସ ବିଲକୁ ବିରୋଧ, ବାଚସ୍ପତିଙ୍କ ଅଫିସ ଆଗରେ ଶୋଇପଡ଼ିଲେ ବିଧାୟିକା
ପାଟନା: ମଙ୍ଗଳବାର ବିହାର ବିଧାନସଭାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ବିରୋଧୀ ଦଳର ନେତା ବାଚସ୍ପତିଙ୍କୁ ଘେରିବାକୁ ଯାଇ ପୁଲିସର ଲାଠି ମାଡ଼ ଖାଇଛନ୍ତି। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପୁଲିସର ଏଭଳି କାମକୁ ନିନ୍ଦା କରିବା ସହିତ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି କଂଗ୍ରେସ ମୁଖପାତ୍ର ରନଦୀପ ସୁରଜେଓ୍ୱାଲା କହିଛନ୍ତି।
ମଙ୍ଗଳବାର ବିହାର ସରକାର ବିଧାନସଭାରେ ବିହାର ସ୍ପେଶାଲ ଆର୍ମଡ ପୁଲିସ ବିଲ୍ ପାରିତ ହୋଇଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ପୁଲିସକୁ ମାତ୍ରାଧିକ କ୍ଷମତା ମିଳିବ। ଆଉ କୌଣସି ଲୋକକୁ ଜେଲରେ ପୂରାଇବାର କ୍ଷମତା ପୁଲିସ ହାତରେ ରହିବ ବୋଲି ବିରୋଧୀ ଦଳର ନେତା ତେଜସ୍ଵୀ ଯାଦବ କହିଛନ୍ତି। ନୂଆ ଆଇନ ଅନୁସାରେ ପୁଲିସ ବିନା ଓ୍ୱାରେଣ୍ଟରେ କାହା ଘରେ ପଶି ରେଡ୍ କରିବା ସହିତ ସର୍ଚ୍ଚ କରିପାରିବ। ପୁଲିସ ଯାହାକୁ ସନ୍ଦେହ କରିବ ତାକୁ ଗିରଫ କରିପାରିବ। ଏମିତି ହେଲେ କୋର୍ଟ, ମାଜିଷ୍ଟ୍ରେଟ ଆଉ ରହିବ ନାହିଁ ବୋଲି ତେଜସ୍ୱୀ ଯାଦବ କହିଛନ୍ତି।
ଏହାକୁ ବିରୋଧ କରି ମଙ୍ଗଳବାର ବିହାର ବିଧାନସଭା ଘେରାଉ କରିଥିଲା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ଏହି ସମୟରେ ଆରଜେଡି କର୍ମୀ ପୁଲିସ ଉପରକୁ ଟେକା ପଥର ଫିଙ୍ଗିଥିଲେ। ପରେ ପୁଲିସ ନିଜର ସୁରକ୍ଷା ପାଇଁ ଲାଠି ଚାର୍ଜ କରିଥିଲା। ପୁଲିସ ଏବେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ମୋଟ୍ ୩ ହଜାର ଆରଜେଡି କର୍ମୀଙ୍କ ଉପରେ ମାମଲା ଦାୟର କରିଛି।
ଅନ୍ୟପଟେ ଘେରାଉ ବେଳେ ବିରୋଧୀ ଦଳର ମହିଳା ବିଧାୟକା ତଥା ପୂର୍ବତନ ମନ୍ତ୍ରୀ ଅନୀତା ଦେବୀ ବିଧାନସଭାରେ ଥିବା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ଘେରି ରହିଥିଲେ ଏବଂ ତାଙ୍କୁ ବାହାରକୁ ଯିବାକୁ ଦେଇନଥିଲେ। ଏହା ଉପରେ ମହିଳା ସୁରକ୍ଷା ବାହିନୀ ବିଧାୟିକାଙ୍କୁ ବଳ ପୂର୍ବକ ହଟାଇ ଦେଇଥିଲେ।
#WATCH Bihar: Women MLAs of the Opposition being carried out of the Assembly building by women security personnel. They (MLAs) were refusing to allow Assembly Speaker Vijay Kumar Sinha to step out of his chamber. pic.twitter.com/Skj0LayFs4
— ANI (@ANI) March 23, 2021
ମହିଳା ସୁରକ୍ଷା କର୍ମୀ ବାଚସ୍ପତି କାର୍ଯ୍ୟାଳୟ ବାହାରେ ମହିଳା ବିଧାୟିକାଙ୍କୁ ହଟାଇବା ପାଇଁ ବହୁ ବଳ ପ୍ରୟୋଗ କରିଥିବାର ଦେଖିବାକୁ ମିଳିଛି। ଖବର ସରବାର ସଂସ୍ଥା ଏନଆଇଏ ଏହାର ଭିଡିଓ ଜାରି କରିଛି। ଯେଉଁଥିରେ ବିଧାୟିକା ଜଣଙ୍କ କିଭଳି ବାଚସ୍ପତିଙ୍କ ଅଫିସ ବାହାରେ ଶୋଇପଡ଼ିଥିବାର ନଜିର ରହିଛି। ଏହି ସମୟରେ ଉପସ୍ଥିତ ଥିବା ଆରଜେଡି ବିଧାୟକ ସତୀଶ କୁମାରଙ୍କୁ ମଧ୍ୟ ପୁଲିସ ବଳପୂର୍ବକ ଏକ ଷ୍ଟ୍ରେଚରରେ ହସ୍ପିଟାଲକୁ ନିଆଯାଇଥିଲା। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ବିଧାୟକ ସତୀଶ କହିଛନ୍ତି।
କଂଗ୍ରେସ ମୁଖପାତ୍ର ରନଦୀପ ସୁରଜେଓ୍ୱାଲା କହିଛନ୍ତି, ଲେକମାନେ ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ୱର ଉଠାଇବାର ଆବଶ୍ୟକ ରହିଛି। ଆରଜେଡି ଏବଂ କଂଗ୍ରେସ କର୍ମୀମାନେ ପୁଲିସ ମାଡ଼ର ଶିକାର ହୋଇଛନ୍ତି। ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ ଜଣେ ସି ଗ୍ରେଡ ମୁଖ୍ୟମନ୍ତ୍ରୀ ବୋଲି କହିବା ସହିତ ଅପଶବ୍ଦ ବ୍ୟବହାର କରି ଟ୍ୱିଟ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।