ଆସାମରେ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ବିଜେପି

ଗୁଆହାଟି: ପାଖେଇ ଆସୁଛି ଆସାମ ବିଧାନସଭା ନିର୍ବାଚନ। ଏହାରି ଭିତରେ ଆସାମର ସାଧାରଣ ଜନତାଙ୍କୁ ୧୦ ଲକ୍ଷ ନିଯୁକ୍ତର ପ୍ରତିଶ୍ରୁତି ଦେଇଛି ବିଜେପି। ଆଜି ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି ହୋଇଛି। ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ସର୍ବାନନ୍ଦ ସୋନୱାଲ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଏହି ଇସ୍ତାହର ଜାରି କରାଯାଇଛି।  ଏଥିରେ ବିଜେପି ୧୦ଟି ସଂକଳ୍ପକୁ ସ୍ଥାନ ଦେଇଛି। ବିକାଶ, ମହିଳା ସଶକ୍ତିକରଣ, ସବୁ ବର୍ଗର ଉତ୍‌ଥାନ ତଥା ସଂସ୍କୃତିର ସୁରକ୍ଷା ଇତ୍ୟାଦିକୁ ବିଜେପି ନିଜର ସଂକଳ୍ପପତ୍ରରେ ଗୁରୁତ୍ୱ ଦିଆଯାଇଛି।

ଆସାମରେ ଉପଯୁକ୍ତ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ଚିନ୍ତା କରାଯିବ ବୋଲି ବିଜେପି ତା’ର ଇସ୍ତାହାର ପତ୍ରରେ ଘୋଷଣା କରିଛି । ଏଥିସହ ଆସାମରେ ଅରୁଣଦେଇ ଯୋଜନା ଅନ୍ତର୍ଗତ ୩୦ ଲକ୍ଷ ପରିବାରକୁ ମାସିକ ୩ ହଜାର ଟଙ୍କା ସହାୟତା ମିଳିବ। ବନ୍ୟା ସମସ୍ୟା ରୋକିବା ପାଇଁ ବ୍ରହ୍ମପୁତ୍ର ଜଳଭଣ୍ଡାରର ନିର୍ମାଣ କରାଯିବ।

ସମସ୍ତ ଆବାସ ଯୋଜନା ପାଇଁ ଦେଢ଼ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଅବୈଧ ନିର୍ମାଣକୁ ହଟାଇ ଦିଆଯିବ। ସରକାରୀ ସ୍କୁଲରେ ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା, ଅଷ୍ଟମ କ୍ଲାସ ପରେ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦେବାକୁ ବିଜେପି ଘୋଷଣା କରିଛି। ଏଥିସହ ଆତ୍ମନିର୍ଭର ଆସାମ ପାଇଁ ଅଭିଯାନ ଆରମ୍ଭ ହେବ। ସବୁ କ୍ଷେତ୍ରରେ ସହାୟତା କରାଯିବ। ଆସାମକୁ ଦେଶର ନିଯୁକ୍ତ ହବ୍‌ ରୂପେ ଗଠନ କରାଯିବ। ୨ ଲକ୍ଷ ଲୋକଙ୍କୁ ସରକାରୀ କ୍ଷେତ୍ରରେ ଚାକିରି, ଅନ୍ୟ ଘରୋଇ କ୍ଷେତ୍ରରେ ୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

କେବଳ ସେତିକି ନୁହେଁ ସ୍ୱାମୀ ବିବେକାନନ୍ଦଙ୍କ ନାଁରେ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନା ଜରିଆରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ରୋଜଗାର ପ୍ରଦନା କରିବା ଲକ୍ଷ ରହିଛି। ସମସ୍ତଙ୍କୁ ଜମି ମାଲିକାନାର ଅଧିକାର ମିଳିବ।

ନିର୍ବାଚନୀ ଇସ୍ତାହାରରେ ଘୋଷଣା ସମୟରେ ନଡ୍ଡା ଗତ ୫ ବର୍ଷରେ ବିଜେପି ସରକାରର ସଫଳତାର ହିସାବ ଦେଇଛନ୍ତି। ଏଥିସହ ଚଳିତ ଥର ମଧ୍ୟ ଦଳକୁ ବିଜୟୀ କରାଇବା ଲାଗି ବିପୁଳ ସଂଖ୍ୟା ଭୋଟ ଦେବାକୁ ଆସାମବାସୀଙ୍କୁ ଅପିଲ କରିଛନ୍ତି ନଡ୍ଡା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।