ମମତାଙ୍କ ଆକ୍ରମଣ ଅଭିଯୋଗର ସିବିଆଇ ତଦନ୍ତ ଦାବି କଲା ବିଜେପି, ଟିଏମସି ବାରିଲା ଷଡ଼ଯନ୍ତ୍ରର ଗନ୍ଧ

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଆକ୍ରମଣ ସମ୍ପର୍କରେ ଟିଏମସି ନେତା ଶେକ ସୁଫିଆନ ପୁଲିସ୍‌ରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି।

ତେବେ ଟିଏମସିର ଏଭଳି ଆଭିମୁଖ୍ୟ ଦେଖି ବେଙ୍ଗଲ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେହିପରି ମମତା ଡ୍ରାମା କରୁଥିବା ସେ କହିଛନ୍ତି। ବୁଧବାର ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଆଜି ଟିଏମସି ସାଂସଦ ଡେରେକ ଓ’ବ୍ରାଇନ, ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ପାର୍ଥ ଚାଟାର୍ଜୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ କୋଲକାତାରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ସାକ୍ଷାତ କରି ବିଧିବଦ୍ଧ ଅଭିଯୋଗ କରିଛନ୍ତି। ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଟିଏମସି ପରେ ବିଜେପିର ପ୍ରତିନିଧି ମଣ୍ଡଳୀ ମଧ୍ୟ ଇସି ଅଧିକାରୀଙ୍କୁ ଭେଟି ନନ୍ଦିଗ୍ରାମ ଘଟଣାର ବିସ୍ତୃତ ତଦନ୍ତ କରିବାକୁ ଦାବି କରିଛନ୍ତି। ସୁରକ୍ଷା ବିଭାଗର ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଘଟଣାସ୍ଥଳରେ ଥିବା ବେଳେ କେମିତି ଏତେ ବଡ଼ର ଘଟଣା ଘଟିଲା ବୋଲି ବିଜେପି ପ୍ରଶ୍ନ କରିଛି।

ଏଥିସହ ଦଳ ଘଟଣାର ଭିଡିଓ ଫୁଟେଜ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରିଛି। ଦିଲ୍ଲୀପ ଘୋଷ କହିଛନ୍ତି, ପ୍ରକୃତ ସତ୍ୟ ଜାଣିବାକୁ ହେଲେ ସିବିଆଇ ତଦନ୍ତ ହେବା ଦରକାର। ମମତା ଓ ଟିଏମସି ଡ୍ରାମା କରୁଛନ୍ତି। ହେଲେ ବର୍ତ୍ତମାନ ସମୟରେ ଡ୍ରାମା ଆଉ କାମ ଦେବନି। ପୂର୍ବରୁ ମଧ୍ୟ ବେଙ୍ଗଲ ଗୋଟିଏ ଡ୍ରାମା ଦେଖି ସାରିଛି।

ପ୍ରକୃତରେ କ’ଣ ଘଟିଛି, ତା’ର ତଦନ୍ତ ହେବା ଦରକାର। ଜେଡ୍‌ ପ୍ଲସ ସୁରକ୍ଷା ବଳୟରେ ଥିବା ବ୍ୟକ୍ତିଙ୍କୁ କେମିତି ଆକ୍ରମଣ କରାଗଲା, ତା’ହା ନିଶ୍ଚିତ ତଦନ୍ତର ବିଷୟ। ରାଜ୍ୟ ସରକାର ସତ୍ୟ ଜାଣିବାକୁ ହେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ବିଜେପି ସ୍ୱରରେ ସ୍ୱର ମିଳାଇଛନ୍ତି। ସେ ମମତାଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ଯଦି କୌଣସି ଷଡ଼ଯନ୍ତ୍ର ରହିଛି, ତା’ହେଲେ ଘଟଣାର ସିବିଆଇ, ଏନଆଇଏ, ସିଆଇଡି କିମ୍ବା ଏସଆଇଟି ଗଠନ କରି ତଦନ୍ତ କରାଯାଉ। କାହିଁକି ଟିଏମସି ସରକାର ଏପରି କରୁନାହାନ୍ତି?

ଷଡ଼ଯନ୍ତ୍ର କଥା କହି ଆପଣ କେବଳ ସମବେଦନା ପାଇବାକୁ ଚେଷ୍ଟା କରୁଛନ୍ତି। ଘଟଣା ବେଳେ ପୁଲିସ୍‌ କେଉଁଠି ଥିଲା? ସିସିଟିଭି କୁଆଡ଼େ ଯାଇଥିଲା? ସିସିଟିଭିକୁ ଯାଞ୍ଚ କରାଯାଉ। ଏହାପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଅଧୀର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।