ଟିକାକରଣ କେନ୍ଦ୍ର ସମ୍ପର୍କରେ ତଥ୍ୟ ଦେବାକୁ ସବୁ ବିଜେପି ସାଂସଦଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଆଜି ଦଳର ସବୁ ସାଂସଦମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା କରୋନା ଟିକାକରଣ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ସେମାନେ କେତେଥର ଟିକାକରଣ କେନ୍ଦ୍ର ଓ ହେଲପ ଡେସ୍କକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି, ତା’ର ତଥ୍ୟ ଦେବାକୁ ମଧ୍ୟ ଦଳ ପକ୍ଷରୁ ସବୁ ସାଂସଦଙ୍କୁ କୁହାଯାଇଛି। ସାଂସଦମାନେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏହି ରିପୋର୍ଟ ପ୍ରଦାନ କରିବେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହା ପୂର୍ବରୁ ଦଳ ପକ୍ଷରୁ ସମସ୍ତ ସାଂସଦଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ବର୍ଷ ଆରମ୍ଭରୁ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଥିଲା। ହେଲେ ଏବେ ଦୈନିକ ସଂକ୍ରମଣ ୨୪ ହଜାର ପାର କରିଯାଇଛି।

ଏବେ ରାଜ୍ୟଗୁଡ଼ିକର କରୋନାର ସ୍ଥିତି, ଟିକାକରଣ ଓ କଟକଣା ବିଷୟରେ ଆଲୋଚନା କରିବା ପାଇଁ ମୋଦି ବୈଠକ ଡାକିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଆଗକୁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ମୋଦି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

ଗତବର୍ଷ ମାର୍ଚ୍ଚ ମାସରୁ ପ୍ରଧାନମନ୍ତ୍ରୀ ଏକାଧିକ ଥର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ଉପରେ ଆଲୋଚନା କରି ଚାଲିଛନ୍ତି। ଶେଷଥର ପାଇଁ ଜାନୁଆରୀ ମାସରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।