ବିରୋଧୀଙ୍କୁ ହତ୍ୟା ଓ ମହିଳାଙ୍କୁ ଦୁଷ୍କର୍ମ କରି ବିଜେପି ଶାସନ କରେନି: ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭାରେ ଗର୍ଜିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ଘଟୁଥିବାରୁ ଶ୍ରୀ ଶାହ କ୍ଷମତାସୀନ ଟିଏମସି ଉପରେ ବର୍ଷିଛନ୍ତି। ଏଥିସହ ବିଜେପି କୌଣସି ରାଜ୍ୟରେ ବିରୋଧୀଙ୍କୁ ହତ୍ୟା କରି ଶାସନ କରେନାହିଁ ବୋଲି ମଧ୍ୟ କହିଛନ୍ତି।

ଦିଲ୍ଲୀର ୩ ନଗର ନିଗମର ଏକତ୍ରୀକରଣ କରିବା ସଂକ୍ରାନ୍ତରେ ଆସିଥିବା Delhi Municipal Corporation (Amendment) Bill ଉପରେ ମତ ରଖିବା ବେଲେ ଶ୍ରୀ ଶାହ ପଶ୍ଚିମବଙ୍ଗର ବୀରଭୂମିରେ ଘଟିଥିବା ହିଂସାକାଣ୍ଡ ଓ ଗତବର୍ଷ ନିର୍ବାଚନ ପରେ ବେଙ୍ଗଲରେ ଦେଖାଯାଇଥିବା ମାରପିଟ ଘଟଣାକୁ ଉଠାଇଥିଲେ। ଏହାକୁ ଆଧାର କରି ଶ୍ରୀ ଶାହ କହିଛନ୍ତି, “ହଁ, ଏହା ସତ ଯେ ବିଜେପି ସବୁ ରାଜ୍ୟରେ ନିଜର ଆଦର୍ଶ, କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ଲଢ଼ିବାକୁ ଚାହେଁ। ନିର୍ବାଚନ ଲଢ଼ୁଥିବାରୁ ଆମେ ଜିତିବାକୁ ଚାହୁଁଛୁ।

ଟିଏମସି ମଧ୍ୟ ରାଜ୍ୟ ବାହାରେ ଅର୍ଥାତ ଗୋଆ ଓ ତ୍ରିପୁରାରେ ମଧ୍ୟ ନିର୍ବାଚନ ଲଢ଼ୁଛି। କାହିଁକି ସେମାନେ ସେଠାକୁ ଯାଉଛନ୍ତି? ସମସ୍ତଙ୍କ ପାଖରେ ସବୁ ରାଜ୍ୟରେ ନିର୍ବାଚନ ଲଢ଼ିବାର ଅଧିକାର ରହିଛି। ସବୁ ଦଳ ନିଜର ଆଦର୍ଶ, କାର୍ଯ୍ୟକ୍ରମ ଓ ପ୍ରଦର୍ଶନକୁ ଆଧାର କରି ସବୁ ରାଜ୍ୟକୁ ଯାଆନ୍ତୁ। ଏହା ହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ।

ମୁଁ ଏଠାରେ କହିବାକୁ ଚାହେଁ ଯେ ବିଜେପି ସବୁବେଳେ ନିଜର କାର୍ଯ୍ୟକ୍ରମ, ନୀତି, ଲୋକପ୍ରିୟ ନେତୃତ୍ୱ ଓ ନିଜ ସରକାରଙ୍କ ପ୍ରଦର୍ଶନ ବଳରେ ଆମେ ନିର୍ବାଚନ ଲଢ଼ୁଛୁ ଓ ସବୁଆଡ଼େ ଜିତିଛୁ। କିନ୍ତୁ ବିଜେପି କୌଣସି ରାଜ୍ୟ ବିରୋଧୀଙ୍କୁ ହତ୍ୟା କରି ଓ ମହିଳାଙ୍କୁ ଦୁଷ୍କର୍ମ କରି ଶାସନ କରିବାକୁ ଚାହେଁନାହିଁ। ଏହା ଆମ ସଂସ୍କୃତି ନୁହେଁ।”

କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, “ଯେଉଁମାନେ ନିଜ ଦଳର ନିର୍ବାଚନ କରୁନାହାନ୍ତି, ସେମାନେ ଆମକୁ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି। ଆମେ କେବେ ହେଲେ କୌଣସି ନିର୍ବାଚନକୁ ଡରୁନାହୁଁ। କିନ୍ତୁ ନିର୍ବାଚନ ଭୟରେ ଜରୁରୀ ପରିସ୍ଥିତି କେମିତି ଲାଗିଥିଲା ସେ ଇତିହାସ ସମସ୍ତଙ୍କର ମନେ ଅଛି।

ନିର୍ବାଚନ ଜିତିବା ଓ ହାରିବା ଗଣତନ୍ତ୍ରର ଗୋଟିଏ ଅଂଶ ବିଶେଷ। ବିଜେପି ଏହାକୁ ନେଇ କେବେ ହେଲେ ଭୟଭୀତ ନୁହେଁ। ଆମେ କାହିଁକି ଆପକୁ ଭୟ କରିବୁ? ଯଦି ସେମାନେ ନିର୍ବାଚନ ଜିତିବା ନେଇ ଏତେ ନିଶ୍ଚିତ, ତା’ହେଲେ ୬ ମାସ ପରେ ନିର୍ବାଚନ ହେଲେ ମଧ୍ୟ ଜିତି ପାରିବେ। କାହିଁକି ଏହାକୁ ଏତେ ବୟାନବାଜୀ ହେଉଛି?

ଆପ ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସବୁ ଆସନରେ ଅମାନତ ହରାଇଛି। ସେମାନେ ଉତ୍ତରାଖଣ୍ଡରେ ସବୁ ସିଟ୍‌ରେ ହାରିଛନ୍ତି। ମଣିପୁର ସେମାନେ ଯାଇ ନଥିଲେ। ଏପରି କି ଗୋଆରେ ମଧ୍ୟ ସେମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।