କଂଗ୍ରେସ ରାସ୍ତାରେ ବିଜେପି! ଆଇଟି ରେଡକୁ ନେଇ ବର୍ଷିଲେ ଅଖିଲେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସମର୍ଥକ ଓ ନେତାଙ୍କ ଘରେ ଆଜି ହଠାତ୍‌ ଆୟକର ବିଭାଗ ରେଡ୍‌ କରିବା ଘଟଣା ରାଜନୀତିକ ବୟାନବାଜୀକୁ ତୀବ୍ର କରିଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଇଟି ରେଡ୍‌ କରିବା ଘଟଣାକୁ ସମାଜବାଦୀ ସୁପ୍ରିମୋ ଅଖିଲେଶ ଯାଦବ ସହଜରେ ଗ୍ରହଣ କରିପାରିନାହାନ୍ତି।

କ୍ଷମତାସୀନ ବିଜେପି ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କଂଗ୍ରେସ ମଧ୍ୟ ଏପରି କରୁଥିଲା ବୋଲି ସେ କହିଛନ୍ତି।

ଅଖିଲେଶ ଆଜି କହିଛନ୍ତି, “କଂଗ୍ରେସ ଯାହା କରୁଥିଲା, ଏବେ ବିଜେପି ସେହି ରାସ୍ତାରେ ଯାଉଛି। ଆପଣ ଯଦି କଂଗ୍ରେସର ପୁରୁଣା ଇତିହାସକୁ ଦେଖିବେ, ତା’ହେଲେ ଦଳ ଲୋକଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଥିଲା। ଏବେ ବିଜେପି ସମାନ ନୀତି ଆପଣାଇଛି। ବିଜେପି ମନରେ ପରାଜୟର ଭୟ ଯେତିକି ବଢ଼ିବ, ବିରୋଧୀଙ୍କ ଠିକଣାରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରେଡ୍‌ ସେତିକି ଜୋରଦାର ହେବ।

କିନ୍ତୁ ସମାଜବାଦୀ ପାର୍ଟିର ରଥଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବଭଳି ଜାରି ରହିବ। ବିଜେପି ୨୦୧୭ ନିର୍ବାଚନ ବେଳେ ରାମ ରାଜ୍ୟ ଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଦଳ ନିଜର ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ସମାଜବାଦ ନୀତି ନିଶ୍ଚିତ ରାମ ରାଜ୍ୟ ଆଣିପାରିବ। ଯଦି ସାମାଜବାଦ ଆସିବ, ତା’ହେଲେ ଆମେ ରାମ ରାଜ୍ୟ ପାଇପାରିବା। ବିଜେପି କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଲୋକଙ୍କ ଆଗରେ ବିଜେପିର ଅସଲ ମୁଖା ଖୋଲି ଯାଇଛି।”

ସୂଚନାଯୋଗ୍ୟ, ଆଜି ସକାଳୁ ବାରାଣସୀ ଆୟକର ବିଭାଗର ଗୋଟିଏ ଟିମ୍ ମାଉରେ ପହଞ୍ଚିଥିଲା। ଏହାପରେ ସାହାଦତପୁର ଅଞ୍ଚଳରେ ଥିବା ସପାର ସାଧାରଣ ସମ୍ପାଦକ ରାଜୀବ ରାୟଙ୍କ ବାସଭବନରେ ଛାନଭିନ ଆରମ୍ଭ କରିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ରେଡ୍ ଏବେ ବି ଜାରି ରହିଛି।

ରେଡ୍‌ ସମ୍ପର୍କରେ ଖବର ପାଇ ସମାଜବାଦୀ ପାର୍ଟିର ଅନେକ ନେତା ଓ କର୍ମୀ ରାଜୀବଙ୍କ ଘର ବାହାରେ ଏକାଠି ହୋଇଛନ୍ତି। ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ଏହାବାଦ ଅଖିଲେଶଙ୍କ ଆଉ ଦୁଇ ଘନିଷ୍ଠ ସହଯୋଗୀ ତଥା ଆରସିଏଲ ଗ୍ରୁପର ମାଲିକ ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବଙ୍କ ବାସଭବନରେ ମଧ୍ୟ ଆୟକର ବିଭାଗ ରେଡ୍‌ କରିଛି। ମୈନପୁରରେ ମନୋଜ ଯାବଦଙ୍କ ଘର ରହିଛି। ଆଜି ସକାଳୁ ଆୟକର ଅଧିକାରୀମାନେ ୧୨ଟି ଗାଡ଼ିରେ ଆସି ମନୋଜଙ୍କ ଘରକୁ କର୍ଡନ କରିଥିଲେ।

ଏହାପରେ ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ରେଡ୍‌ ଜାରି ରହିଥିବାରୁ ଘର ଭିତରୁ କିମ୍ବା ଘର ଭିତରକୁ କାହାକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉନି। ସେହିପରି ଲକ୍ଷ୍ନୌର ଆମ୍ବେଦକର ପାର୍କ ଅଞ୍ଚଳରେ ଥିବା ଜିତେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।