ମୋଦିଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇବାରୁ ଲଲନ ସିଂହଙ୍କୁ କଡ଼ା ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ବିଜେପି ଟାର୍ଗେଟରେ ଜନତା ଦଳ ୟୁନାଇଡେଟ୍‌ (ଜେଡିୟୁ)ର ଜାତୀୟ ସଭାପତି ଲଲନ ସିଂହ। ସେ ପ୍ରଧାନମନ୍ତ୍ରୀଙ୍କୁ ନକଲି ମଣିଷ କହିବା ସହ ତାଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାର କଡ଼ା ଜବାବ ବିଜେପି ଦେଇଛି।

ଦଳୀୟ ନେତାଙ୍କୁ ସମ୍ବୋଧନ କରିବା ବେଳେ ଲଲନ ସିଂହ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଅତ୍ୟନ୍ତ ପଛୁଆ ବର୍ଗ(ଇବିସି) ଜାତିର ଲୋକ ଭାବେ ଦର୍ଶାଉଛନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଗୁଜରାଟରେ ଇବିସି ହିଁ ନାହିଁ। ସେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ତାଙ୍କ ଜାତିକୁ ଇବିସିରେ ମିଶ୍ରଣ କରିଥିଲେ।

ସେ ଜଣ ନକଲି ମଣିଷ। ଯଦି ଜଣେ ୧୦ ବର୍ଷ କାଳ ପ୍ରଧାନମନ୍ତ୍ରୀ ପଦରେ ରହିବେ, ତା’ହେଲେ ସେ ସବୁ ତଥ୍ୟ ଲୋକଙ୍କୁ ଦେବା ଦରକାର। ହେଲେ ଏଠି ସେମିତି କିଛି ବି ହେଉନି।” ଏଥିସହ ଶ୍ରୀ ସିଂହ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ଶ୍ରୀ ସିଂହ ଆହୁରି କହିଛନ୍ତି, ବିଜେପି ସଂରକ୍ଷଣ ବିରୋଧୀ। ଜାତିଭିତ୍ତିକ ଜନଗଣନାରେ ଅସୁବିଧା କ’ଣ? ବିଜେପି ଭଲ ଭାବେ ଜାଣିଛି ଯେ ଯଦି ଜାତିଭିତ୍ତିକ ଜନଗଣନା ହେବ, ତା’ହେଲେ ସେମାନଙ୍କ ଅସଲ ଚେହେରାର ପର୍ଦ୍ଦାଫାସ ହୋଇଯିବ। ଯେତେବେଳେ କେନ୍ଦ୍ର ସରକାର ଏପରି ଗଣନା କରିବାକୁ ମନାକଲେ ସେତେବେଳେ ନୀତୀଶ ସରକାର ଜାତି ଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ସବୁବେଳେ ବଡ଼ବଡ଼ କଥା କହି ଆସୁଛି। ହେଲେ ସେମାନେ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ମୋଦିଙ୍କ ଜାତି କଥା ଉଠାଥିବା ଲଲନ ସିଂହଙ୍କୁ କାଉଣ୍ଟର କରିବାକୁ ବିଜେପି ଭୁଲିନାହିଁ। ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, “ଆଉ କୌଣସି ଲଜ୍ଜା ନାହିଁ। କାହିଁକି ଆପଣ ଏମିତି ବୟାନ ଦେଉଛନ୍ତି। ସେ(ଲଲନ ସିଂହ) ଗୋଟିଏ ଦଳର ଜାତୀୟ ସଭାପତି। ସେ ନିଜେ ମଧ୍ୟ ମୋଦିଙ୍କ ନାଁରେ ସାଂସଦ ହୋଇଥିଲେ। ନୀତୀଶ କୁମାରଙ୍କ ନାଁରେ ନୁହେଁ। ଏହା ସତ୍ୟ। ରାଜନୀତର ସ୍ତର ଭଲ ରହିବା ଉଚିତ। ଆମେ ଛୋଟ ଛୋଟ ନେତାମାନଙ୍କ ବୟାନକୁ ଧ୍ୟାନ ଦେଉନାହୁଁ। କିନ୍ତୁ ଏପରି ବୟାନ ଆଦୌ ଗ୍ରହଣୀୟ ନୁହେଁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।