କେସିଆରଙ୍କୁ ବିଲୁଆ ଓ ମୋଦିଙ୍କୁ ସିଂହ ସହ ତୁଳନା କଲେ ବିଜେପି ସାଂସଦ

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର)ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ଅରବିନ୍ଦ ଧର୍ମପୁରୀ। କେସିଆରଙ୍କ ରାଜନୀତିକ ମୃତ୍ୟୁର ସମୟ ପାଖେଇ ଆସିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ପଙ୍ଗା ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ପଙ୍ଗା ନେଇ ସେ ବଡ଼ ଭୁଲ କରିଛନ୍ତି ବୋଲି ନିଜାମାବାଦରୁ ସାଂସଦ ହୋଇଥିବା ଅରବିନ୍ଦ ଧର୍ମପୁରୀ ପରୋକ୍ଷରେ କେସିଆରଙ୍କୁ ଚେତାବନୀ ଦେଇଛନ୍ତି। ଏଥିସହ ସେ କେସିଆରଙ୍କୁ ବିଲୁଆ ଓ ପ୍ରଧାନମନ୍ତ୍ରୀଙ୍କୁ ସିଂହଙ୍କ ସହ ତୁଳନା କରିଛନ୍ତି।

ତେଲେଙ୍ଗାନରେ ଖରିଫ ଋତୁରେ ଉତ୍ପାଦିତ ହୋଇଥିବା ସମସ୍ତ ଖାଦ୍ୟଶସ୍ୟକୁ ସଂଗ୍ରହ କରିବାରେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କେସିଆର ନଭେମ୍ବର ୧୨ରୁ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳର ସଦସ୍ୟଙ୍କ ସହ ସେ କୃଷି ଆଇନ ବିରୋଧରେ ବିକ୍ଷୋଭ କରିବେ ବୋଲି ମଧ୍ୟ କହିଛନ୍ତି।

କେସିଆର କେନ୍ଦ୍ର ବିରୋଧରେ ନିଜର ଆଭିମୁଖ୍ୟକୁ କଡ଼ା କରିଥିବାରୁ ଆଜି ବିଜେପି ସାଂସଦ ଅରବିନ୍ଦ ଏହାର ଜବାବ ଦେଇଛନ୍ତି।
ସେ କହିଛନ୍ତି, “ଯେତେବେବେଳେ ବିଲୁଆର ମୃତ୍ୟୁ ସମୟ ଆସିଯାଏ ସେତେବେଳେ ସେ ସିଂହ ଆଡ଼କୁ ଦୌଡ଼େ। ଏହିକ୍ରମରେ କେସିଆରଙ୍କର ମଧ୍ୟ ରାଜନୀତିକ ମୃତ୍ୟୁ ପାଖେଇ ଆସିଥିଲା। ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସହ ପଙ୍ଗା ନେଉଛନ୍ତି। ଖାଲି ସେତିକି ନୁହେଁ ମୋଦି ସରକାରଙ୍କ ବିରୋଧରେ ମଧ୍ୟ ସେ ମିଥ୍ୟା ପ୍ରଚାର କରୁଛନ୍ତି।

ଆମେ କେବେ ହେଲେ ଶସ୍ୟ ସଂଗ୍ରହ କରାଯିବ ନାହିଁ କିମ୍ବା କେଉଁ ସବୁ ଫସଲ ଚାଷୀମାନେ ଉତ୍ପାଦନ କରିବା ଉଚିତ ବୋଲି କହିନାହୁଁ। କେସିଆର ଲୋକଙ୍କୁ ସେ ଦେଇଥିବା ପ୍ରତିଶ୍ରୁତିରୁ ଆଦୌରୁ ଧ୍ୟାନଚ୍ୟୁତ କରନ୍ତୁ ନାହିଁ। ଆମେ ଆମର ଦାବି ‘ଦଳିତ ବନ୍ଧୁ’ ଲାଗୁ କରିବା ଦାବିରେ ଅଟଳ ରହିଛି ଓ ରହିବୁ।” ଏହାବାଦ ସାଂସଦ ଅରବିନ୍ଦ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ କେସିଆରଙ୍କୁ ଟାର୍ଗେଟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।