କାନ୍ଧରେ ବିଜେପି ପତାକା, ଦେହରେ ଗେରୁଆ ବସ୍ତ୍ର: ନମାଜ ପଢ଼ିଲେ ଯୋଗୀଙ୍କ ସହଯୋଗୀ

ଲକ୍ଷ୍ନୌ: ଆଜି ସମଗ୍ର ଦେଶରେ ପବିତ୍ର ଇଦ୍‌ ପାଳନ କରାଯାଉଛି। ମୁସଲିମ ଭାଇ ଭଉଣୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକମାନେ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଉଛନ୍ତି। ତେବେ ଉତ୍ତର ପ୍ରଦେଶର ମୁଜାଫରନଗରରୁ ଆସିଥିବା ଗୋଟିଏ ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି।

ଇଦ ପାଇଁ ମୁଜାଫରନଗରରେ ସମୂହ ନମାଜ ପାଠ ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କ ବେଶଭୂଷା ସମସ୍ତଙ୍କୁ ଚକିତ କରିଛି। ବ୍ୟକ୍ତି ଜଣଙ୍କ ଇଦ୍ ନମାଜ ପଢ଼ିବାକୁ ଆସିଥିଲେ ମଧ୍ୟ ଗେରୁଆ ବସ୍ତ୍ର ପରିଧାନ କରିଥିଲେ। ଏପରି କି ତାଙ୍କ କାନ୍ଧରେ ବିଜେପିର ଉତ୍ତରୀୟ ମଧ୍ୟ ରହିଥିଲା। ଏପରି ପୋଷାକରେ ସେ ଅନ୍ୟମାନଙ୍କ ସହ ଧାଡ଼ିରେ ବସି ନମାଜ ପାଠ କରିଛନ୍ତି। ନଗର କୋଟୱାଲି ଅଞ୍ଚଳରେ ସମୂହ ନମାଜ ପାଠ ବେଳେ ଘଟିଥିବର ଏହି ଘଟଣାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହଯୋଗୀ ତଥା ୟୁପିର ପୂର୍ବତନ ମନ୍ତ୍ରୀ ଡା ମହମ୍ମଦ ସମର ଗଜନୀ ଏପରି ବେଶଭୂଷାରେ ନମାଜ ପାଠ କରିଛନ୍ତି। ସେ ନମାଜ ପାଠ କରୁଥିବା ବେଳେ ସମସ୍ତଙ୍କ ନଜର ତାଙ୍କରି ଉପରେ ହିଁ ରହିଥିଲା। ଗେରୁଆ ବସ୍ତ୍ର ସହ ବିଜେପି ଉତ୍ତରୀୟ ସହ ନମାଜ ପାଠ କରିବା ଉଦ୍ଦେଶ୍ୟ ସମ୍ପର୍କରେ ଡାକ୍ତର ମହମ୍ମଦ ସମର କହିଛନ୍ତି, “ଆଜି ଯୋଗୀଙ୍କ ଶାସନରେ ପ୍ରେମର ପରିବେଶ ସୃଷ୍ଟି ହୋଇଛି। ଯୋଗୀଜୀ ପୂରା ଉତ୍ତର ପ୍ରଦେଶକୁ ଗେରୁଆମୟ କରିଛନ୍ତି। ଗେରୁଆ ହେଉଛି ପ୍ରେମର ପ୍ରତୀକ। ଏହି ଗେରୁଆ ରଙ୍ଗ ସହାୟତାରେ ଆମେ ସନ୍ଦେଶ ଦେବାକୁ ଚାହୁଁଛୁ ଯେ ଯୋଗୀଙ୍କ ରାଜରେ ଗୋଟିଏ ଦଙ୍ଗା ମୁକ୍ତ ରାଜ୍ୟ ତିଆରି ହୋଇଛି, ଯେଉଁଠାରେ ହିନ୍ଦୁ ଓ ମୁସଲିମ ବେଶ ଆରାମରେ ରହୁଛନ୍ତି ଏବଂ କେଉଁଠି ଦଙ୍ଗା ହେଉନାହିଁ।”

ୟୁପିର ପୂର୍ବତନ ସଂଖ୍ୟାଲଘୁ ମୋର୍ଚ୍ଚାର ମନ୍ତ୍ରୀ ମହମ୍ମଦ ଆହୁରି କହିଛନ୍ତି, ଏହା ଗେରୁଆ ସମାଜର ପ୍ରତୀକ। ଏହା ପ୍ରେମର ବାର୍ତ୍ତା ବାଣ୍ଟୁଥିବା ଗେରୁଆ ସରକାର। ପୂରା ରାଜ୍ୟରେ ଇଦ୍‌ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆମେ ମୁସଲିମ ସମାଜକୁ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଯୋଗୀ ସରକାର ସମସ୍ତଙ୍କ କଲ୍ୟାଣ ପାଇଁ ହାତ ବଢ଼ାଇଛନ୍ତି। ଆପଣମାନେ ମଧ୍ୟ ଯୋଗୀ ସରକାରଙ୍କ ପ୍ରତି ପ୍ରେମର ହାତ ବଢ଼ାନ୍ତୁ। ଯଦି ଦୁଇ ପାର୍ଶ୍ୱରୁ ପ୍ରେମର ହାତ ବଢ଼ିବ, ତା’ହେଲେ ୨୦୨୪ରେ ମଧ୍ୟ ଗୋଟିଏ ସଶକ୍ତ ସରକାର ଆସିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।