ବିଜେପିକୁ ଶକ୍ତ ଝଟକା, ଦଳ ଛାଡ଼ି ଟିଏମସିରେ ମିଶିଲେ ଆଉ ଜଣେ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଜୋରଦାର ଲଢ଼େଇ କରି ୭୭ଟି ଆସନ ଜିତିଥିବା ବିଜେପିକୁ ପୁଣି ଗୋଟିଏ ଝଟକା ଲାଗିଛି। ପୂର୍ବରୁ ବିଧାୟକ ମୁକୁଲ ରୟ ଦଳ ଛାଡ଼ିଥିବା ବେଳେ ଏବେ ବିଧାୟକ ତନ୍ମୟ ଘୋଷ ସମାନ ପଦକ୍ଷେପ ନେଇଛନ୍ତି। ତନ୍ମୟ ଘୋଷ ବିଜେପି ଟିକେଟରୁ ବିଷ୍ଣୁପୁର ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଆଜି ସେ ଦଳକୁ ଗୁଡବାଏ କହି ଶାସକ ଟିଏମସିରେ ସାମିଲ ହୋଇଛନ୍ତି।

ବିଜେପି ପ୍ରତିଶୋଧମୂଳକ ରାଜନୀତି କରୁଥିବାରୁ ବିଧାୟକ ତନ୍ମୟ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିସହ ବେଙ୍ଗଲର କଲ୍ୟାଣ ପାଇଁ ସମସ୍ତେ ଟିଏମସିରେ ମିଶନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ଠିକ୍‌ ପୂର୍ବରୁ ଅର୍ଥାତ ମାର୍ଚ୍ଚ ମାସରେ ତନ୍ମୟ ଘୋଷ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସେ ବିଜେପିରେ ମିଶିବା ପୂର୍ବରୁ ବାଙ୍କୁରା ଜିଲ୍ଲା ବିଷ୍ଣୁପୁର ସହରର ଟିଏମସି ଯୁବ ସଭାପତି ଓ ଜଣେ କାଉନସିଲର ଭାବେ କାର୍ଯ୍ୟ କରୁଥିଲେ। ବିଜେପିରେ ମିଶିବା ପରେ ତାଙ୍କୁ ଦଳ ନିର୍ବାଚନ ବେଳେ ଟିକେଟ ଦେଇଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଏବେ ସେ ବିଜେପିର ଆକ୍ରୋଶ ଓ ପ୍ରତିଶୋଧମୂଳକ ରାଜନୀତିରେ କ୍ଷୁବ୍ଧ ହୋଇ ପୁଣି ଟିଏମସିକୁ ଫେରିଛନ୍ତି।

ଶ୍ରୀ ଘୋଷଙ୍କୁ ଦଳକୁ ସ୍ୱାଗତ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ବାର୍ତ୍ୟା ବାସୁ କହିଛନ୍ତି, ବିଜେପି ନିର୍ବାଚନ ପରେ ଟିଏମସି ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି। ଆମେ ବିଜେପି ସହ ରାଜନୀତିକ ଲଢ଼େଇ ଜାରି ରଖିବୁ। ଆଗକୁ ଅନେକ ବିଜେପି ନେତା ଟିଏମସିରେ ମିଶିବେ। ଆମେ ସମସ୍ତଙ୍କୁ ଟିଏମସିରେ ମିଶିବାକୁ ଆହ୍ୱାନ କରୁଛୁ। କିନ୍ତୁ ଦଳରେ କାହାକୁ ସୁଯୋଗ ମିଳିବ, ସେକଥା ଟିଏମସିର ନେତୃବୃନ୍ଦ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏଥିସହ ତ୍ରିପୁରାର ଅନେକ ବିଜେପି ବିଧାୟକ ଟିଏମସିର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ବାସୁ ଆଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବିଜେପି ୭୭ଟିରେ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ଜିତିଛି। ସେହିପରି ଆଇଏସ୍‌ଏଫ ଓ ଜିଜେଏମ ଗୋଟିଏ ଲେଖାଏ ଆସନ ଜିତିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।