ରାଜ୍ୟସଭାରେ ଉଠିଲା ଫୋନ୍ ଟ୍ୟାପିଂ ମାମଲା, ଅଡ଼ୁଆରେ ଗେହଲଟ ସରକାର

ନୂଆଦିଲ୍ଲୀ: ଫୋନ୍ ଟ୍ୟାପିଂ ହେଉଥିବା ନେଇ ରାଜସ୍ଥାନର ଗେହଲଟ ସରକାର ସ୍ୱୀକାର କରିବାପରେ ଏବେ ବିରୋଧୀଙ୍କ ନିଶାନାକୁ ଆସିଛନ୍ତି। ବିଜେପି ସାଧାରଣ ସମ୍ପାଦକ ତଥା ସାଂସଦ ଭୁପେନ୍ଦ୍ର ଯାଦବ ଶୁକ୍ରବାର ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି। ରାଜସ୍ଥାନ କଂଗ୍ରେସ ସରକାର ଲୋକଙ୍କ ଗୋପନୀୟତାର ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରିଥିବା ସେ ରାଜ୍ୟସଭାରେ କହିଛନ୍ତି। ରାଜ୍ୟସଭାରେ ଏହି ପ୍ରସଙ୍ଗ ବିଜେପି ସାଂସଦ ଉଠାଇବା ପରେ ମିଡିଆକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ଫୋନ୍ ଟ୍ୟାପ୍ ହୋଇଥିବା ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି କଂଗ୍ରେସ ନେତାଙ୍କ ଫୋନ୍ ମଧ୍ୟ ଟ୍ୟାପ୍ ହୋଇଛି।

ଗତ ବର୍ଷ ଜୁଲାଇରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ଅନ୍ୟ ୧୮ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏହାପରେ ରାଜନୀତିକ ସଙ୍କଟ ଦେଖାଦେଇଥିଲା। ଏହି ସମୟରେ ଫୋନ୍ ଟ୍ୟାପିଂ ବିବାଦ ସାମ୍ନାକୁ ଆସିଥିଲା।

ସାଂସଦ ଯାଦବ କହିଛନ୍ତି ଯେ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଗୋପନୀୟତା ଅଧିକାର ପ୍ରଦାନ କରିଥାଏ। ଏହି ଅଧିକାରର ସୁରକ୍ଷା ଦାୟିତ୍ୱ ହେଉଛି ସରକାରଙ୍କ କାମ। ହେଲେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ (ଓଏସଡି)ଙ୍କ ତରଫରୁ କିଛି ନେତାଙ୍କ ମୋବାଇଲ୍ ଅଡିଓ କ୍ଲିପ୍ ପ୍ରସାରିତ ହୋଇଥିଲା। ରାଜସ୍ଥାନ ସରକାରକୁ ଫୋନ୍ ଟ୍ୟାପିଂ କରିବା ନେଇ କିଏ ଅଧିକାର ଦେଇଛନ୍ତି ତାହାର ଜବାବ ରଖିବା ଦରକାର ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ ଏହି ମାମଲାରେ ରାଜସ୍ଥାନ ବିଧାନସଭାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି। ତେବେ ରାଜସ୍ଥାନ ସରକାର କହିଛନ୍ତି ସାଧାରଣ ଲୋକଙ୍କ ଫୋନ୍ ଟ୍ୟାପିଂ ହୋଇଥିଲା କୌଣସି ନେତାଙ୍କର ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।