Z+ ସୁରକ୍ଷା ଭିତରେ ମମତାଙ୍କୁ କେମିତି ଆଘାତ ଲାଗିଲା?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଚାର ପ୍ରସଙ୍ଗ ଏବେ ବଦଳିଛି। ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର କରିବା ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଟିଏମସି ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହାକୁ ଷଡ଼ଯନ୍ତ୍ର କହିଛି ଟିଏମସି। ନିର୍ବାଚନ ବେଳେ ଷଡ଼ଯନ୍ତ୍ର କରି ଟିଏମସି ସ୍ୱରକୁ ଚପାଇବାକୁ ପ୍ରୟାସ ହେଉଛି ବୋଲି ମମତାଙ୍କ ଦଳ କହିଛି।

ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ଓ ଟିଏମସି ପରସ୍ପର ନିର୍ବାଚନ କମିଶନରଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ବିଜେପି ସାଂସଦ ଲୋକେଟ ଚାଟାର୍ଜୀ କହିଛନ୍ତି, ମମତାଙ୍କ ସୁରକ୍ଷା ବ୍ୟବସ୍ଥା Z+ ଶ୍ରେଣୀରେ ଯାଉଛି। ଏଭଳି ସ୍ଥିତିରେ କିଏ ସୁରକ୍ଷା ଭେଦ କରି ଗଲା ଆଉ ମମତାଙ୍କ ଠେଲାପେଲା କରି ଆଘାତ ଦେଲା? ଏହା ନିଶ୍ଚିତ ଭାବରେ ଗୁରୁତର ପ୍ରସଙ୍ଗ। ଏହି ମାମଲାର ଉଚ୍ଚ ସ୍ପରୀୟ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ଏହା କେବଳ ସୁରକ୍ଷା ନୁହଁ ମାନବିକତାର ପ୍ରସଙ୍ଗ ବୋଲି ସେ କହିଛନ୍ତି।

ବିଜେପି ପ୍ରଭାରୀ କୌଳାଶ ବିଜୟଭର୍ଗିଆ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମମତା କଡ଼ା ସୁରକ୍ଷା ଭିତରେ ରୁହନ୍ତି। ତାଙ୍କ ପାଖରେ କେହି ପହଞ୍ଚିପାରିବେ ନାହିଁ। ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର। ନିର୍ବାଚନ ବେଳେ ଭୋଟ୍ ପାଇବା ପାଇଁ ମମତା ଏଭଳି ଏକ ନାଟକ କରୁଛନ୍ତି ବୋଲି କୈଳାଶ କହିଛନ୍ତି।

ଗୋଡ଼ରେ ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଟିଏମସି ସୁପ୍ରିମୋଙ୍କ ଗୋଡ଼ ମକଚି ଯିବାରୁ ସେ ହସ୍ପିଟାଲ ବେଡରେ ଚିକିତ୍ସାଧୀନ ରହିଛନ୍ତି। ଏହାରି ଭିତରେ ଏକ ଭିଡିଓ ଜାରି କରିଛନ୍ତି ମମତା ବାନାର୍ଜୀ। ଦୁଇ-ତିନି ଦିନ ମଧ୍ୟରେ ସେ ପ୍ରଚାର ମୈଇଦାନକୁ ଫେରିବେ ବୋଲି ମମତା ଭିଡିଓରେ କହିଛନ୍ତି। ଏମିତିକି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି। ଯଦିଓ ତାଙ୍କ ଗୋଡ଼ ଫୁଲିଯାଇଥିବାରୁ ପ୍ଲାଷ୍ଟର ହୋଇଛି ହେଲେ ସେ ହ୍ୱିଲ ଚେୟାରରେ ଆସି ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।