ବିଜେପି ସାଂସଦଙ୍କ କାର୍‌ ଉପରେ ଆକ୍ରମଣ

ଚଣ୍ଡିଗଡ଼: ହରିଆଣାର ହିର୍ସାରେ ଚାଷୀମାନେ ବିକ୍ଷୋଭ କରୁଥିବା ବେଳେ ବିଜେପି ସାଂସଦ ରାମ ଚନ୍ଦ୍ର ଜାଙ୍ଗରାଙ୍କ କାର୍‌ ଉପରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କ କାର୍‌ ଉପରୁ ଲାଠି ଫୋପାଡ଼ିବାରୁ ଏହା ଭାଙ୍ଗି ଯାଇଛି। ତେବେ ଏହି ଘଟଣାରେ କେହି ବି ଆହତ ହୋଇ ନାହାନ୍ତି। ପୁଲିସ୍‌ ସାଂସଦ ରାମ ଚନ୍ଦ୍ରଙ୍କ କାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

ହରିଆଣାରେ ଚାଷୀମାନେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି। ଏଥିସହ ସେମାନେ ଶାସକ ବିଜେପି ଓ ଜେଜେପି ନେତାମାନଙ୍କ କାର୍ଯ୍ୟକ୍ରମ ଏବଂ ଗସ୍ତକୁ ମଧ୍ୟ ବିରୋଧ କରୁଛନ୍ତି। ଏହିକ୍ରମରେ ଆଜି ହିର୍ସାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବିଜେପି ସାଂସଦ ରାମ ଚନ୍ଦ୍ର ବିରୋଧର ସମ୍ମୁଖୀନ ହୋଇଥିଲେ।

ଚାଷୀମାନେ ହିର୍ସାରେ ଥିବା ନାରନାଉଣ୍ଡ ଠାରେ ତାଙ୍କ ଗସ୍ତକୁ ବିରୋଧ କରି ରାସ୍ତା ବନ୍ଦ କରିଥିଲେ। ତେବେ ପୁଲିସ୍‌ ଏଥିରେ ହସ୍ତକ୍ଷେପ କରି ବିଜେପିର ରାଜ୍ୟସଭା ସାଂସଦ ରାମ ଚନ୍ଦ୍ରଙ୍କୁ ସୁରକ୍ଷିତ ଉକ୍ତ ରାସ୍ତା ପାର କରାଇଥିଲା। କିନ୍ତୁ ସେ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାର୍‌ ଉପରକୁ ଲାଠି ମାଡ଼ କରି ଏହାକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ସାଂସଦ ରାମ ଚନ୍ଦ୍ର କହିଛନ୍ତି, “କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଁ ଫେରୁଥିଲି। ମୋତେ ଆଉ ଗୋଟିଏ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର ଥିଲା। ତେବେ କିଛି ଅସାମାଜିକ ବ୍ୟକ୍ତି ମୋ କାର ଉପରକୁ ଲାଠି ମାଡ଼ କରି ଏହାକୁ ଭାଙ୍ଗି ଦେଇଛନ୍ତି। ଏହି ଘଟଣାକୁ ନେଇ ମୁଁ ଡିଜିପି ଓ ଏସପିଙ୍କ ସହ କଥା ହୋଇଛି।

ମୁଁ ଆଇନ ଅନୁସାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହା ସଂପୂର୍ଣ୍ଣ ଭାବେ ହତ୍ୟା ଉଦ୍ୟମ। ମୁଁ କୌଣସି ରାଜନୀତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ନଥିଲି। ଏଠାରେ ସାମାଜିକ କାର୍ଯ୍ୟକ୍ରମ ହେଉଥିଲା। କ’ଣ ଚାଷୀମାନେ ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରୁଛନ୍ତି?” ଘଟଣା ବେଳେ ସାଂସଦ ରାମ ଚନ୍ଦ୍ର କାର୍‌ର ପଛ ସିଟ୍‌ରେ ବସିଥିଲେ। କାର ଭାଙ୍ଗି ଯିବାରୁ ସାଂସଦ ନିଜର ଗସ୍ତକୁ ଅଧାରୁ ବାତିଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।