ଜୀବିତ ସାମ୍ବାଦିକଙ୍କୁ ବେଙ୍ଗଲ ହିଂସାରେ ମୃତ ବୋଲି ଦର୍ଶାଇ ଫଟୋ ପୋଷ୍ଟ କଲା ବିଜେପି

କୋଲକାତା: ବିଧାନସଭା ରେଜଲ୍ଟ ପରେ ବେଙ୍ଗଲରେ ପ୍ରବଳ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ବିଜେପି ୧୪ ଜଣ କର୍ମୀଙ୍କୁ ହରାଇଥିବା ଅଭିଯୋଗ କରିଛି। ଟିଏମସିର ଗୁଣ୍ଡାମାନେ ସମସ୍ତଙ୍କୁ ହତ୍ୟା କରିଥିବା ଦଳ ବାରମ୍ବାର କହି ଆସୁଛି। ତେବେ ବିଜେପି ବେଙ୍ଗଲ ହିଂସାକାଣ୍ଡକୁ ନେଇ ଜାରି କରିଥିବା ଭିଡିଓ ଏବେ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ଏହି ଭିଡିଓରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଜଣେ ସାମ୍ବାଦିକଙ୍କୁ ବେଙ୍ଗଲ ହିଂସାର ପୀଡ଼ିତ ଭାବେ ବିଜେପି ଦର୍ଶାଇଛି। ବିଜେପି ଉକ୍ତ ସାମ୍ବାଦିକଙ୍କୁ ମୃତ ବୋଲି ଘୋଷଣା କରିଥିଲେ ହେଁ ସେ ଜୀବିତ ଓ ସଂପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି।

ଉକ୍ତ ସାମ୍ବାଦିକଙ୍କ ନାଁ ଅଭ୍ର ବାନାର୍ଜୀ ହୋଇଥିବା ବେଳେ ବିଜେପି ତାଙ୍କୁ ମାଣିକ ମୌତ୍ରୋ ଓ ତାଙ୍କ ଘର ସୀତଲକୁଚି ବୋଲି ଦର୍ଶାଇଛି। ବେଙ୍ଗଲ ହିଂସାରେ ପ୍ରାଣ ହରାଇଥିବା ୯ ଜଣଙ୍କ ନାଁ ବିଜେପି ସାର୍ବଜନୀନ କରିଥିଲା। ଏଥିରେ ମାଣିକ ମୌତ୍ରୋ ଓ ମିଥୁନ ବର୍ମନ ସୀତଲକୁଚରେ ପ୍ରାଣ ହରାଇଥିବା ଦାବି କରିଥିଲା।

ତେବେ ମାଣିକ ମୌତ୍ରୋ ନାମରେ କେହି ବ୍ୟକ୍ତି ନଥିବା ବେଳେ ବିଜେପି ଇଣ୍ଡିଆ ଟୁଡେର ସାମ୍ବାଦିକ ଅଭ୍ରଙ୍କ  ଫଟୋକୁ ଏହି ନାଁରେ ବ୍ୟବହାର କରିଛି। ଏହାକୁ ନେଇ ବିବାଦ ହେବାରୁ ଦଳ ପଶ୍ଚିମବଙ୍ଗ ବିଜେପି ଫେସବୁକ ପେଜ୍‌ରୁ ଭିଡିଓକୁ ହଟାଇ ଦେଇଛି। ଟ୍ୱିଟର୍‌ ହ୍ୟାଣ୍ଡେଲରେ ମଧ୍ୟ ଏହି ଭିଡିଓ ନାହିଁ।


ବୁଧବାର ବିଜେପି ପକ୍ଷରୁ ୫.୨୮ ମିନିଟ୍‌ର ଭିଡିଓ ଜାରି କରାଯାଇଥିଲା। ଏଥିରେ ଟିଏମସି କେମିତି ଗୁଣ୍ଡାଗିରି ଦ୍ୱାରା ଲୋକଙ୍କୁ ମାରୁଥିବା ଦୃଶ୍ୟ ରହିଥିଲା। ତେବେ ଏହି ଭିଡିଓକୁ ପରବର୍ତ୍ତୀ ଅବସ୍ଥାରେ ହଟାଇ ଦିଆଯାଇଥିଲା। ଏଥିରେ ଅଭ୍ରଙ୍କୁ ମୃତ ବୋଲି ଦର୍ଶାଯାଇଥିବାରୁ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ସେ ଆଜି ଟ୍ୱିଟ କରି କହିଛନ୍ତି, “ଆଜି ସକାଳେ ମୁଁ ଟିକିଏ ବିଳମ୍ବରେ ଉଠିଥିଲି। କିନ୍ତୁ ସେତେବେଳକୁ ମୋତେ ୧୦୦ରୁ ଅଧିକ ଲୋକ ଫୋନ କରିସାରିଥିଲେ। କ’ଣ ହେଇଛି ଭାବି ମୁଁ ଚେକ୍‌ କରିବାକୁ ଯାଉଥିବା ବେଳେ ମୋ ବନ୍ଧୁ ଅରବିନ୍ଦ ମୋତେ କହିଥିଲେ ଯେ ବିଜେପି ଆଇଟି ସେଲ୍‌ ମାଣିକ ମୌତ୍ରୋ ନାମକ ଜଣେ କେହି ଯୁବକଙ୍କ ନାଁରେ ମୋ ଫଟୋ ବ୍ୟବହାର କରିଛି। ଏଥିସହ ସୀତଲକୁଚିରେ ମୋର ମୃତ୍ୟୁ ଘଟିଛି।

ଏହା ଶୁଣି ମୁଁ ପୂରା ସ୍ତବ୍ଧ ହୋଇଯାଇଥିଲି। କାରଣ ମୁଁ ସୀତଲକୁଚି ଠାରୁ ପ୍ରାୟ ୧୪ଶହ କିମି ଦୂରରେ ରହୁଛି। ଏପରି ଭୁଲ ତଥ୍ୟ ଅନେକ ଅଘଟଣ ସୃଷ୍ଟି କରିପାରେ। ମୁଁ ଅବହରୋ ବାନାର୍ଜୀ। ବିଜେପି ଆଇଟି ସେଲ ମୋତେ ମାଣିକ ମୌତ୍ରୋ ଭାବେ ଦର୍ଶାଇଛି ଓ ସୀତଲକୁଚରେ ମୁଁ ପ୍ରାଣ ହରାଇଥିବା କହିଛି। ଦୟା କରି ଏଭଳି ଫେକ ପୋଷ୍ଟରେ ବିଶ୍ୱାସ କରନ୍ତୁ ନାହିଁ। ମୁଁ ଆଉଥରେ କହୁଛି, ମୁଁ ଜୀବିତ ଓ ସୁସ୍ଥ ରହିଛି।”

ବିଜେପି ମାଣିକ ମୌତ୍ରୋ ଭାବେ ଅବହରୋଙ୍କୁ ଦର୍ଶାଇଛି। ହେଲେ ଅଭ୍ର ଏବେ ଦିଲ୍ଲୀରେ ରହୁଛନ୍ତି। ବିଜେପି ଏହି ଫଟୋ ଓ କେଉଁଠୁ ପାଇଲା, ତାହା ଜଣାପଡ଼ିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।