ନାଗପୁରରେ ଗଢ଼ି ଉଠିଥିବା ସଂଗଠନ ସାରା ଦେଶକୁ ନିୟନ୍ତ୍ରଣ କରୁଛି: ରାହୁଲ

ଗୌହାଟି: ଆସାମ ବିଧାନସଭା ନିର୍ବାଚନ ପାଇଁ ଏବେ ଦୁଇ ଦିନିଆ ଗସ୍ତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ଏହି ଅବସରରେ ସେ ଆରଏସଏସ ଉପରେ ବର୍ଷିଛନ୍ତି। ସିଧାସିଧା ନାଁ ନନେଇ ପରୋକ୍ଷରେ ଆରଏସଏସକୁ ଟାର୍ଗେଟ କରିଛନ୍ତି ରାହୁଲ। ଆଜି ଲାହୋଲ ଏବଂ ଦିବ୍ରୁଗଡରେ ନିର୍ବାଚନ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ।

ସେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଆଜି ଲୋକତନ୍ତ୍ରର ମାନ କମୁଛି। ଯୁବକ ଯୁବତୀଙ୍କ ବେରୋଜଗାର ବଢ଼ୁଛି, ଚାଷୀ ଆନ୍ଦୋଳନରେ ବସିଛନ୍ତି, ସଂଶୋଧିତ ନାଗରିକତା ଆଇନ ଲାଗୁ ହୋଇଛି। ଦେଶରେ ନାଗପୁରରେ ତିଆରି ହୋଇଥିବା ଗୋଟିଏ ସଂଗଠନ ଆଜି ସାରା ଦେଶକୁ ନିୟନ୍ତ୍ରଣ କରୁଛି। ଯଦି ରାଜ୍ୟରେ କଂଗ୍ରେସ ସରକାର ଆସିବ ତାହେଲେ ସିଏଏ ଲାଗୁ ହେବ ନାହିଁ ବୋଲି ରାହୁଲ କହିଛନ୍ତି।

ସେ ଆହୁରି କହିଛନ୍ତି, ଲୋକତନ୍ତ୍ରର ଅର୍ଥ ଆସାମର ସ୍ୱର ଆସାମରେ ନିୟନ୍ତ୍ରିତ ହେବା ଦରକାର। ଯଦି ଆମେ ରାଜନୀତିରେ ଛାତ୍ରମାନଙ୍କୁ ସାମିଲ କରିବୁ ନାହୁଁ ତେବେ କୌଣସି ଲୋକତନ୍ତ୍ର ବା ଗଣତନ୍ତ୍ର ଆଉ ରହିବ ନାହିଁ। ଆସାମରେ ଲୁଟ୍ ହେଉଛି ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜନୀତିରେ ଯୁବକମାନେ ମଧ୍ୟ ଅଂଶଗ୍ରହଣ କରିବା ଦରକାର। ଏଥିପାଇଁ ପଥର ସହିତ ନୁହେଁ ବରଂ ପ୍ରେମରେ ଲଢ଼ିବାକୁ ହେବ ବୋଲି କହି ରାହୁଲ୍ ସିଏଏ ବେଳେ ଆସାମାରେ ଦେଖାଦେଇଥିବା ହିଂସା କଥାକୁ ଉଜ୍ଜୀବିତ କରିଛନ୍ତି ରାହୁଲ।

ରାଜ୍ୟରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ଅନ୍ୟାନ୍ୟ ଆଞ୍ଚିଳକ ଦଳ ସହିତ ମିଶି ନିର୍ବାଚନ ଲଢ଼ୁଛି। ମୁଖ୍ୟତଃ ବିଜେପି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନ ଲଢ଼େଇ ହେଉଛି। ଗତକାଲି ବିଜେପି ପାଇଁ ପ୍ରଚାର କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବିଜେପି ସରକାରରେ ଆସାମକୁ ବିଭିନ୍ନ ଫୋରମରେ ଯୋଡ଼ା ହେଉଛି। ୨୦୧୬ ପୂର୍ବରୁ ଆସାମକୁ ବିଭିନ୍ନ ଫୋରମରୁ କଂଗ୍ରେସ ବିଚ୍ଛିନ୍ନ କରିଥିଲା ବୋଲି ମୋଦି କହିଥିଲେ। ଆସାମରେ ବିକାଶର ଅର୍ଥ କେବଳ ରାସ୍ତା ମାଧ୍ୟାମରେ ନୁହେଁ ବରଂ ସାଂସ୍କୃତିକ ଭାବରେ ଆସାମକୁ ଯୋଡ଼ିବା ହେଉଛି ବିଜେପି ସରକାରର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଆସାମର ୧୨୬ ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରେ ହେବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୧ରେ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ରେ ହେବ। ମେ ୨ରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ ୬୪ଟି ଆସନ ଜିତିବାକୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।