ତାମିଲନାଡୁ ପାଇଁ ବିଜେପି ଜାରି କଲା ଇସ୍ତାହାର, ଜାଣନ୍ତୁ କ’ଣ ସବୁ ପ୍ରତିଶ୍ରୁତି ଦେଇଛି ଦଳ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ପକ୍ଷରୁ ଦଳର ଇସ୍ତାହାର ଜାରି କରାଯାଇଛି। ଦଳ ରାଜ୍ୟକୁ କ୍ଷମତାକୁ ଆସିଲେ ଅନେକ ବଡ଼ ବଡ଼ କାମ କରିବ ବୋଲି ପ୍ରତିଶ୍ରୁତି ବର୍ଷା କରିଛି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଓ ଭିକେ ସିଂହଙ୍କ ଦ୍ୱାରା ଦଳ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସେହିପରି ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାନ କରିବ ବୋଲି କହିଛି। ରାଜ୍ୟବାସୀଙ୍କ ପାଇଁ ଦଳ ୫୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ମତ୍ସ୍ୟଜୀବୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ଏହାବାଦ୍‌ ଇଜ୍‌ ଅଫ ଡୁଇଂ ବିଜନେସରେ ତାମିଲନାଡୁକୁ ଦକ୍ଷିଣ ଭାରତର ୧ନଂ ରାଜ୍ୟ ଭାବେ ଯେମିତି ପରିଚୟ ହାସଲ କରିବା, ତା’ର ବ୍ୟବସ୍ଥା ବିଜେପି କ୍ଷମତାକୁ ଆସିଲେ କରିବ। ୧୨ ଲକ୍ଷ ପଞ୍ଚମୀ ଜମି ଦଖଲ କରାଯିବ ଓ ରାଜ୍ୟରେ ରହୁଥିବା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଏହାକୁ ଫେରସ୍ତ କରାଯିବ।

-ହିନ୍ଦୁ ମେଧାବୀ ଓ ସନ୍ଥମାନଙ୍କୁ ନେଇ ମନ୍ଦିରଗୁଡ଼ିକ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରାଯିବ।

-୧୮ରୁ ୨୩ ବର୍ଷର ଝିଅମାନଙ୍କୁ ମାଗଣାରେ ଡ୍ରାଇଭିଂ ଲାଇସେନ୍ସ ମିଳିବ

-୮ମ ଓ ୯ମ ଶ୍ରେଣୀର ପିଲାମାନଙ୍କୁ ମାଗଣା ଟ୍ୟାବଲେଟ୍ସ ଦିଆଯିବ

-ଇଲେକ୍ଟ୍ରୋନିକ୍ସ ରାସନକାର୍ଡଧାରୀଙ୍କୁ ଡୋର ଷ୍ଟେପରେ ରାସନ ଯୋଗାଣ ହେବ

– ସବୁ ଜିଲ୍ଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ତିଆରି କରାଯାଇ ମାଗଣାରେ ସମସ୍ତଙ୍କୁ ଚିକତ୍ସା ଯୋଗାଇ ଦିଆଯିବ

-୨୦୨୨ ସୁଦ୍ଧା ଜଳ ଜୀବନ ମିଶନ ଜରିଆରେ ସବୁ ଘରେ ପାଇପ ଯୋଗେ ମାଗଣାରେ ପିଇବା ପାଣି ଉଲଲବ୍ଧ ହେବ

-ବାଲି ଚାଲାଣ ଉପରେ ୫ ବର୍ଷ ପାଇଁ ରୋକ ଲଗାଇ ନଦୀର କୂଳଗୁଡ଼ିକୁ ସୁଦୃଢ଼ କରାଯିବ

-ଦିଲ୍ଲୀ ଭଳି ଚେନ୍ନାଇ ପୌରପାଳିକା କର୍ପୋରେସନ ୩ ଭାଗରେ ବିଭକ୍ତ ହେବ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ବିଜେପି ମାତ୍ର ୨୦ଟି ସ୍ଥାନରେ ପ୍ରାର୍ଥୀ ଦେବ। ଏଠାରେ କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରି ଦଳ ନିର୍ବାଚନ ଲଢ଼ୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।