ଟିକାକୁ ନେଇ ୱାର: କେଜ୍ରିୱାଲଙ୍କ ଫଟୋ ଥିବା ପୋଷ୍ଟର ଲଗାଇଲା ବିଜେପି

ନୂଆଦିଲ୍ଲୀ: ମହାମାରୀ କରୋନାର ଟିକାକରଣକୁ ନେଇ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ଓ ମୁଖ୍ୟ ବିରୋଧୀ ବିଜେପି ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି। ଉଭୟ ଦଳ ଟିକାକରଣର ଶ୍ରେୟ ନେବାକୁ ପୋଷ୍ଟର ଜାରି କରିଛନ୍ତି।

ଆପ ସରକାର ପକ୍ଷରୁ ପୋଷ୍ଟର ଜାରି କରି ଲୋକଙ୍କୁ ଟିକା ନେଇଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ରହିବା ସହ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଥିଲା।

ତେବେ ଏହାକୁ କାଉଣ୍ଟର କରିବା ପାଇଁ ସମାନ ଢଙ୍ଗରେ ବିଜେପି ମଧ୍ୟ ପୋଷ୍ଟର ଜାରି କରିଛି। ଏଥିରେ ବିଜେପି କେଜ୍ରିୱାଲଙ୍କ ଫଟୋ ରହିଛି। କିନ୍ତୁ ଲେଖାଯାଇଥିବା ବାକ୍ୟରେ ବିଜେପି ପକ୍ଷରୁ ନୂଆ ଛୁଙ୍କ ଦିଆଯାଇଛି। ଦିଲ୍ଲୀ ବିଜେପିର ଉପ ସଭାପତି ରାଜୀବ ବବର ପୋଷ୍ଟରେ ଲେଖିଛନ୍ତି ଯେ “ଟିକା ନେଇଛନ୍ତି କି? ଯେଉଁ ଟିକା ମୋଦିଜୀ ଦିଲ୍ଲୀ ପାଇଁ ପଠାଇଥିଲେ? କିନ୍ତୁ ଏହି ପୋଷ୍ଟରରୁ ଦିଲ୍ଲୀ ବିଜେପି କେଜ୍ରିୱାଲଙ୍କ ଫଟୋ ହଟାଇ ନାହିଁ।

ରାଜୀବ କହିଛନ୍ତି, “ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ସେ ଦିଲ୍ଲୀବାସୀଙ୍କୁ ଟିକା ନେଇଛନ୍ତି କି ନାହିଁ ପଚାରିବାର ସବୁ ଶ୍ରେୟ ଦେଉଛି। କିନ୍ତୁ ଏହି ସମୟରେ ଆମେ ସମସ୍ତଙ୍କୁ ସୂଚନା ଦେବାକୁ ଚାହିଁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମାଗଣାରେ ସମସ୍ତଙ୍କ ପାଇଁ ଟିକା ପଠାଉଛନ୍ତି।”

ସେ କିମ୍ବା ତାଙ୍କ ଦଳ ମହାମାରୀ କରୋନାର ଟିକାକରଣ ଭିତରେ ନେଗେଟିଭ ରାଜନୀତି କରିବାକୁ ଚାହୁଁ ନାହିଁ ଓ ସରକାର ମିଳିତ ଭାବେ କାମ କରିବା ଦରକାର ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।