ଖାଡଗେଙ୍କ ‘ବକ୍ରୀଇଦ୍‌ରେ ବଞ୍ଚିଲେ ମହରମରେ ନାଚିବା’ ବୟାନକୁ ନେଇ ରାଜନୀତି ଜୋର

ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ବୟାନ। କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା ଖାଡଗେ ଏବେ ମଧ୍ୟପ୍ରଦେଶରେ ପ୍ରଚାର କରୁଛନ୍ତି। ଏହି ସମୟରେ ସେ ବକ୍ରୀଇଦରେ ବଞ୍ଚିଲେ ମହରମରେ ନାଚିବା କଥା କହି ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତା ୧୭ ତାରିଖରେ କଂଗ୍ରେସର ସଭାପତି ପଦ ପାଇଁ ନିର୍ବାଚନ ହେବ।

ଗୋଟିଏ ପଟେ ଖାଡଗେ ଥିବା ବେଳେ ତାଙ୍କ ସାମ୍ନାରେ ଶଶି ଥରୁର ରହିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଖାଡଗେ ଭୋପାଳରେ ନିଜର ପ୍ରଚାର ପାଇଁ ଯାଇଥିଲେ। ଏଠାରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ତାଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା।

ସେ ଯଦି କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତି, ତା’ହେଲେ ରାହୁଲ ଗାନ୍ଧିଙ୍କ ବଦଳରେ ଖାଡଗେ ୨୦୨୪ରେ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ? ଏହାର ଉତ୍ତରରେ ଖାଡଗେ ସ୍ମିତ ହାସ୍ୟ ଦେଇ କହିଛନ୍ତି ଯେ “ପ୍ରଥମେ ଏହି ନିର୍ବାଚନ କାମ ସରୁ। ଆମ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଏବେ ଚାଲିଛି। ଗୋଟିଏ କଥା ଅଛି ଓ ମୁଁ ପୂର୍ବରୁ ମଧ୍ୟ କହିଛି: ଯଦି ବକ୍ରୀଇଦରେ ବଞ୍ଚିଲେ, ତା’ହେଲେ ମହରମରେ ନାଚିବା। ପ୍ରଥମେ ଏହି ନିର୍ବାଚନ ସରୁ। ମୁଁ ଆମ ଦଳର ସଭାପତି ହୋଇ ସାରେ। ତା’ପରେ କ’ଣ ହେଉଛି ଦେଖାଯିବ।”

ଖାଡଗେଙ୍କ ଏପରି ବୟାନକୁ ବିଜେପି ମୁସଲମାନଙ୍କ ପ୍ରତି ଅପମାନ ବୋଲି କହିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଟ୍ୱିଟରରେ ଖାଡଗେଙ୍କ ବୟାନର ଭିଡିଓକୁ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ କଂଗ୍ରେସ ପରିବାର ଦ୍ୱାରା ମନୋନୀତ ହୋଇଥିବା ପ୍ରକ୍ସି ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ପଚରାଯାଇଥିଲା କି ୨୦୨୪ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ତାଙ୍କର ଉତ୍ତର ଥିଲା, ବକ୍ରୀଇଦ୍‌ରେ ବଞ୍ଚିବୁ ତ ମହରମରେ ନାଚିବୁ। ତେବେ ପ୍ରଥମ କଥା ହେଉଛି ମହରମ କୌଣସି ଉତ୍ସବ ନୁହେଁ। ଏହା ଏକ ଶୋକର ଦିନ। ଦ୍ୱିତୀୟ କଥା ହେଉଛି ଏହା ମୁସଲମାନମାନଙ୍କ ପ୍ରତି ଘୋର ଅପମାନ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।