ସ୍ପଷ୍ଟ କଲେ ଅମିତ ଶାହ: ମୋଦିଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ବିଜେପି ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବ। ଏଥିସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବା ପାଇଁ ଉଦ୍ୟମ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ୨୦୨୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପୋଷ୍ଟର ବୟ ସାଜିଥିଲେ ମୋଦି। ଏବେ ତାଙ୍କୁ ୭୧ ବର୍ଷ ହୋଇଥିବାରୁ ୨୦୨୪ରେ ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଚର୍ଚ୍ଚାରେ କିନ୍ତୁ ଅମିତ ଶାହ ରବିବାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନର ସମ୍ମୁଖୀନ ହେବ ଓ ତୃତୀୟ ଥର ପାଇଁ ସରକାର ଗଠନ କରିବ। ମୋଦିଙ୍କ ଦକ୍ଷତା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବଳରେ ବିଜେପି ୨୦୧୪ ଓ ୨୦୧୯ ଅପେକ୍ଷା ୨୦୨୪ରେ ଅଧିକ ଆସନ ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଏଥିସହ ସେ ବୁଥ ସ୍ତରରେ ଦଳକୁ ଆହୁରି ମଜବୁତ କରିବାକୁ ମଧ୍ୟ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ବିହାରର ସହଯୋଗୀ ଜେଡିୟୁ ତିକ୍ତତା ସମ୍ପର୍କରେ ମତ ରଖିଛନ୍ତି। ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ଚାଲିଥିଲେ ମଧ୍ୟ ଉଭୟ ଏକାଠି ୨୦୨୪ ସାଧାରଣ ନିର୍ବାଚନ ଓ ୨୦୨୫ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ସିଂହ କହିଛନ୍ତି।

ବିହାରାରେ ବିଜେପି ନୀତୀଶ କୁମାରଙ୍କ ଜେଡିୟୁ ସହ ମିଶି ସରକାର ଗଠନ କରିଛି। ହେଲେ ଅନେକ ସମୟରେ ଜେଡିୟୁ ଓ ବିଜେପି ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଛି। ଏପରି କି ନୀତୀଶ କୁମାର ବିଜେପି ହାତ ଛାଡ଼ି ପୁଣି ଲାଲୁ ଯାଦବଙ୍କ ଆରଜେଡି ଆଡ଼କୁ ଯିବେ ବୋଲି କୁହାଯାଉଥିଲା। ହେଲେ ଅରୁଣ ସିଂହଙ୍କ ଏପରି ବୟାନ ନୂଆ ଟ୍ୱିଷ୍ଟ ଆଣିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।