ବେଙ୍ଗଲ ବିଜେପିର ପୂର୍ବତନ ମୁଖ୍ୟଙ୍କୁ ହାଇକମାଣ୍ଡଙ୍କ କଡ଼ା ତାଗିଦ

କୋଲକାତା: ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ମୁଖ୍ୟ ଦିଲୀପ ଘୋଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଦଳର ହାଇକମାଣ୍ଡ। ତାଙ୍କ ପାଖକୁ ବିଜେପିର ଦିଲ୍ଲୀ ମୁଖ୍ୟାଳୟରୁ ଗୋଟିଏ ଚିଠି ଆସିଛି। ଏଥିରେ ହାଇକମାଣ୍ଡ ତାଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି। ଏଥିସହ ତାଙ୍କ ବୟାନ ପାଇଁ ବିଜେପି ନେତୃତ୍ୱବୃନ୍ଦ ଲଜ୍ଜିତ ହୋଇଛନ୍ତି ବୋଲି ଚିଠିରେ କୁହାଯାଇଛି।

ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଘୋଷ ଏପ୍ରିଲ ମାସରେ ତାଙ୍କ ବେଙ୍ଗଲ ଉତ୍ତରାଧିକାରୀ ଅର୍ଥାତ ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ହାଇକମାଣ୍ଡ ଶ୍ରୀ ମଜୁମଦାରଙ୍କୁ ବେଙ୍ଗଲ ବିଜେପି ମୁଖ୍ୟ କରିଥିଲେ ମଧ୍ୟ ଶ୍ରୀ ଘୋଷ ଏହାକୁ ଗ୍ରହଣ କରି ପାରି ନଥିଲେ।

ସେ ସର୍ବସମ୍ମୁଖରେ କହିଥିଲେ ଯେ “ସୁକାନ୍ତ ମଜମୁଦାର ଜଣେ ଅନଭିଜ୍ଞ ନେତା। ଦଳ ଦୀର୍ଘ ଦିନ ହେଲା ଲଢ଼େଇ କରୁଛି ଓ ଅନେକ ଭେଟରାନ ନେତା ବି ଅଛନ୍ତି। ସେମାନଙ୍କୁ ରାଜ୍ୟରେ ଲଢ଼େଇ କରିବା ପାଇଁ ଆଗକୁ ଆଣିବା ଦରକାର।”

ଏହି ବୟାନକୁ ନେଇ ସୋମବାର ଦିଲ୍ଲୀ ମୁଖ୍ୟାଳୟରୁ ଗୋଟିଏ ଚିଠି ଶ୍ରୀ ଘୋଷଙ୍କ ପାଖରେ ପହଞ୍ଚିଛି। ଏଥିରେ ମୁଖ୍ୟାଳୟର ଇନଚାର୍ଜ ଅରୁଣ ସିଂହଙ୍କ ଦସ୍ତଖତ ରହିଛି। ଏଥିରେ ଶ୍ରୀ ଘୋଷ ପୂର୍ବରୁ ବିବାଦୀୟ ବୟାନ ଦେଇଥିବା ବେଳେ ତାଙ୍କୁ ତାଗିଦ କରାଯାଇଥିବା କଥା ଉଲ୍ଲେଖ ରହିଛି। ଚିଠିରେ କୁହାଯାଇଛି ଯେ “ଆମର ଆଶା ଥିଲା ଆପଣ ତାଗିଦ ପରେ ନିଶ୍ଚିତ ଉଚିତ ପଦକ୍ଷେପ ନେବେ। କିନ୍ତୁ ଆପଣ ପାର୍ଟିର ପୂର୍ବ ପରାମର୍ଶକୁ ଆଦୌ ଗୁରୁତ୍ୱର ସହ ନେଇ ନାହାନ୍ତି।

ନିକଟରେ ଆପଣ ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମ ଓ ଆଉ କିଛି ମଞ୍ଚରେ ଖୋଲାଖୋଲି ଭାବେ ରାଜ୍ୟର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି। ଏପରି ମନ୍ତବ୍ୟ କେବଳ ଦଳକୁ କ୍ଷତି ପହଞ୍ଚାଇଛି। ଏଥିସହ ଆପଣ ଅତୀତରେ କରିଥିବା କଠିନ ପରିଶ୍ରମ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଛି। ଆପଣଙ୍କ ମନ୍ତବ୍ୟ କେବଳ ରାଜ୍ୟର ନେତାମାନଙ୍କ ବିରୋଧରେ ନଥିଲା। ଆପଣଙ୍କ ବୟାନ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମଧ୍ୟ ଲଜ୍ଜିତ କରିଛି। ଦଳର ଜାତୀୟ ନେତାମାନେ ମିଡିଆରେ ଆପଣ ଦେଉଥିବା ବୟାନ ପାଇଁ ଅତ୍ୟନ୍ତ ଚିନ୍ତିତ।

ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶଙ୍କ କ୍ରମେ ଦଳ ପ୍ରକଟ କରିଥିବା ଚିନ୍ତା ସମ୍ପର୍କରେ ମୁଁ ଆପଣଙ୍କୁ ଅବଗତ କରାଉଛି। ମୋର ଆଶା ଆପଣ ପରିସ୍ଥିତିର ସମ୍ବେଦନଶୀଳକୁ ଠିକ୍‌ ଭାବେ ବୁଝି ପାରୁଥିବେ। ବିଶେଷ କରି ପଶ୍ଚିମବଙ୍ଗ ପରିସ୍ଥିତି ସମ୍ପର୍କରେ ଆପଣ ବେଶ ଅବଗତ। ତେଣୁ ଆପଣ ମିଡିଆ ଓ ଅନ୍ୟ ଫୋରମରେ ମନ୍ତବ୍ୟ ଦେବା ବେଳେ ଯତ୍ନବାନ ହେବେ ବୋଲି ଆମର ଆଶା।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।