ନନ୍ଦିଗ୍ରାମରେ ଧର୍ମେନ୍ଦ୍ରଙ୍କ ରାଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନୀ ପ୍ରଚାର ସମୟରେ ରାଜନୀତିକ ହିଂସା ଜାରି ରହିଛି। ଏବେ ରାଜ୍ୟର ସବୁଠାରୁ ହାଇପ୍ରୋଫାଇଲ୍ ଆସନ କୁହାଯାଉଥିବା ନନ୍ଦିଗ୍ରାମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ବିଜେପି କର୍ମୀ ଗୁରୁତର ଭା‍ବେ ଆହତ ହୋଇଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଟିଏମସିର କାର୍ଯ୍ୟକର୍ତ୍ତା ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛି।

ଆକ୍ରମଣରେ ନନ୍ଦିଗ୍ରାମ-୧ ଦକ୍ଷିଣ ମଣ୍ଡଳର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି। ସେ ନନ୍ଦିଗ୍ରାମରେ ଚାଲିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ସାମିଲ ହୋଇଥିଲେ। ଆହତ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପାଇଁ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ଯାଇଥିଲେ। ଏହି ଘଟଣା ପରେ ଧର୍ମେନ୍ଦ୍ର ଅର୍ଦ୍ଧସୈନିକ ସୁରକ୍ଷା ବଳ ବଢ଼ାଇବା ସହ ନିରପେକ୍ଷ ନିବାର୍ଚନ କରାଇବାକୁ ଦାବି କରିଛନ୍ତି।

ରାଲି ପରେ ଧର୍ମେନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ନିର୍ବାଚନ ଲଢ଼ିବାକୁ ସମସ୍ତଙ୍କର ଅଧିକାର ରହିଛି। ଯଦି ନିର୍ବାଚନ ଲଢ଼ିବାର ଅଛି, ତାହେଲେ ଉଚିତ୍ ଢଙ୍ଗରେ ଲଢ଼ିବା ଶିଖନ୍ତୁ ଦିଦି। କିନ୍ତୁ ହିଂସା, ଅତ୍ୟାଚାର ଓ ଭୟର ବାତାବରଣ ସୃଷ୍ଟି କରି ନିର୍ବାଚନ ଲଢ଼ିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହା ପୂର୍ବରୁ ବୁଧବାର ରାତିରେ ଉତ୍ତର-୨୪ ପରଗନାର ଜଗଦଲ ଅଞ୍ଚଳର ୧୮ ନମ୍ବର ଗଳିରେ ଘଟିଥିବା ଘଟଣାରେ ତିନିଜଣ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି। ଯେଉଁ ସ୍ଥାନରେ ଏହି ଆକ୍ରମଣ ହୋଇଥିଲା, ତାହା ସ୍ଥାନୀୟ ସଂସଦ ଅର୍ଜୁନ ସିଂଙ୍କ ଘରଠାରୁ ବେଶୀ ଦୂର ନୁହେଁ। ବିଜେପି ଏହି ଆକ୍ରମଣର ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ କରିବ।

ଆକ୍ରମଣ ପରେ ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି, ‘ଗତ ୧୦ରୁ ୧୨ ଦିନ ହେବ ଆମେ ପୁଲିସକୁ ବାରମ୍ବାର ଏ ନେଇ ସୂଚନା ଦେଉଛୁ, କିନ୍ତୁ ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଆମେ ନିର୍ବାଚନ କମିଶନଙ୍କୁ ମଧ୍ୟ ଜଣାଇଥିଲୁ ଏବଂ ଏହାରି ଭିତରେ ପୁଣିଥରେ ବୋମାମାଡ଼ ଘଟିଛି।’ ଏହି ଆକ୍ରମଣେ ଜଣେ ପିଲା ସମେତ ୩ଜଣ ଆହତ ହୋଇଛନ୍ତି।

ଯଦି ପୁଲିସ୍ ଏହା ବିରୋଧରେ କୌଣସି ପଦକ୍ଷେପ ନନିଅନ୍ତି, ତାହେଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ଏବଂ ତୃଣମୂଳ କଂଗ୍ରେସ ଓ ଏହାର ଗୁଣ୍ଡାଗର୍ଦ୍ଦି ଶେଷ ହୋଇଯିବ ବୋଲି ଅର୍ଜୁନ ସିଂହ ଚେତାବନୀ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।