ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣି ଅସୁସ୍ଥ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଗଲେ

ନୂଆଦିଲ୍ଲୀ: ପୁଣିଥରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ଠାକୁର। ସେ ନିଃଶ୍ୱାସ ଜନିତ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ସେ ସହରର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଜ୍ଞା ଠାକୁର ଏଭଳି ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫେବୃଆରୀ ୧୯ରେ ସମାନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁ ପ୍ରଜ୍ଞା ଠାକୁରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପୂର୍ବରୁ ୨୦୨୦ ମସିହା ଡିସେମ୍ବର ମାସରେ ତାଙ୍କ ଶରୀରରେ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ ଏମ୍ସରେ ଚିକିତ୍ସିତ କରାଯାଇଥିଲା।

୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କୁ ୨୦୧୭ରେ ଏନଆଇଏ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରିଥିଲା। ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ହେଭିୱେଟ ଦିଗବିଜୟ ସିଂହଙ୍କୁ ଭୋପାଲରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମଥର ପାଇଁ କୌଣସି ଆତଙ୍କବାଦୀ ହମଲାର ଅଭିଯୁକ୍ତ ଭାରତରେ ସାଂସଦ ହୋଇଥିଲେ। ନିଜର ତୁଣ୍ଡ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ମଧ୍ୟ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।