ପୁରୁଲିଆରେ ବିଜେପି ‘ରଥ’ ଉପରେ ଆକ୍ରମଣ ଅଭିଯୋଗ
ପୁରୁଲିଆ: ପଶ୍ଚିମବଙ୍ଗରେ ବିଜେପି ଚଳାଇଥିବା ରଥଯାତ୍ରାରେ ସାମିଲ ଥିବା ଗୋଟିଏ ବସ୍ରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ପୁରୁଲିଆରେ ଏହି ବସ୍ର କାଚ ଭାଙ୍ଗି ଯାଇଥିବା ଫଟୋ ସାମ୍ନାକୁ ଆସିଛି। ଏହି ବସ୍ ଭଙ୍ଗାରୁଜା ଘଟଣା ପୂର୍ବରୁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ପୁରୁଲିଆର ମନବଜାର ସହରରେ ଏକ ବିଶାଳ ସମାବେଶ କରିଥିଲେ।
ବସ୍ ଭଙ୍ଗାରୁଜା ଘଟଣାରେ କ୍ଷମତାସୀନ ଟିଏମସିର ହାତ ଥିବା ବିଜେପି ଅଭିଯୋଗ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିଜେପିର ପରିବର୍ତ୍ତନ ରଥଯାତ୍ରା ପୁରୁଲିଆର ୯ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭ୍ରମଣ କରି ଫେରୁଥିବା ବେଳେ ଏହା ଉପରେ ଆକ୍ରମଣ ହୋଇଛି। ଘଟଣାରେ ବସ୍ର ଡ୍ରାଇଭର ଆହତ ହୋଇଥିବା ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ କରି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ବାବାସାହେବ ଭୀମରାଓ ଆମ୍ବେଦକର ସମ୍ମାନ ଯାତ୍ରାରେ ସାମିଲ ଥିବା ବିଜେପ ରଥ ପୁରୁଲିଆରେ ଛିଡ଼ା ହୋଇଥିବା ବେଳେ ଏହାକୁ ଭଙ୍ଗାରୁଜା କରାଯାଇଛି। ଡ୍ରାଇଭର ଜଣଙ୍କ ଏଥିରେ ଆହତ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଟୁଲପୁରରୁ ରଥଯାତ୍ରାର ଶୁଭାରମ୍ଭ ଯେକୌଣସି ସମୟରେ କରିପାରନ୍ତି। ଟିଏମସି ଏହାକୁ ଅଟକାଇବା ପାଇଁ ବେଶୀ କିଛି କରିପାରିବ ନାହିଁ। କ’ଣ ପାଇଁ ପିଉସୀ ଏତେ ଭୟଭୀତ?”
ବସ୍ ଭଙ୍ଗାରୁଜା ଘଟଣାକୁ କେନ୍ଦ୍ର କରି ବିଜେପିର ମନବଜାର ପ୍ରାର୍ଥୀ ଗୌରୀ ସିଂହ ସର୍ଦ୍ଦାରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ରାସ୍ତାରୋକ ଆରମ୍ଭ କରିଛନ୍ତି। ସେମାନେ ଘଟଣାର ତଦନ୍ତ କରି ତୁରନ୍ତ ସଂପୃକ୍ତ ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି।
BJP’s rath for the Babasaheb Bhimrao Ambedkar Samman Yatra, parked in Purulia, vandalised. Driver suffered injuries. BJP national president J P Nadda would be flagging off the yatra anytime now from Kotulpur. TMC won’t be able to do much to stop it!
What is Pishi so scared of? pic.twitter.com/8bD8gAzPUC
— Amit Malviya (@amitmalviya) March 16, 2021
ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ସମସ୍ତ ଅଧିକାର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ସେ କହିଛନ୍ତି। ବଙ୍କୁରାରେ ଏକ ସମାବେଶକୁ ଉଦବୋଧନ ଦେଇ ସେ କହିଛନ୍ତି, ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ସବୁ ବ୍ୟାଙ୍କ ବନ୍ଦ ହୋଇଯିବ। ସେହିପରି ବିଜେପି କ୍ଷମତାକୁ ଆସିଲେ ଲୋକମାନେ ସମ୍ବିଧାନ ଅନୁସାରେ ପାଉଥିବା ଅଧିକାର ଗୁଡ଼ିକ ମଧ୍ୟ ହରାଇ ବସିବେ। କେନ୍ଦ୍ରମନ୍ତ୍ରୀମାନେ ସେମାନଙ୍କ କର୍ତ୍ତବ୍ୟକୁ ଛାଡ଼ି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚାର କରିବାରେ ଲାଗିଛନ୍ତି ବୋଲି ମମତା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।