ବିଜେପି ବିରୋଧରେ ପ୍ରଚାର ପାଇଁ ପଶ୍ଚିମବଙ୍ଗରେ ରାକେଶ ଟିକାୟତ

କୋଲକାତା: ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ ଶନିବାର କୋଲକାତା ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ବିଧାନସଭା ନିର୍ବାଚନ ବେଳେ ରାକେଶ ଟିକାୟତ ଏବଂ ଅନ୍ୟାନ୍ୟ ଚାଷୀ ନେତା ପଶ୍ଚିମବଙ୍ଗ ମୁହାଁ ହୋଇଛନ୍ତି। ବିମାନବନ୍ଦରରେ ଟିଏମସିର ରାଜ୍ୟସଭା ସାଂସଦ ଡୋଲା ସେନା ତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି।

ଚାଷୀ ନେତା ରାଲି ବେଳେ କେନ୍ଦ୍ରର ତିନି କୃଷି ଆଇନ ଚାଷୀ ବିରୋଧୀ ବୋଲି ପ୍ରଚାର କରିବେ ବୋଲି ଜଣାପଡ଼ିଛି। ତେବେ ରାକେଶ ଟିକାୟତଙ୍କ ଏହି ଗସ୍ତ ହଠାତ୍ ନୁହେଁ। ପୂର୍ବରୁ ମଧ୍ୟ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ନେତା ବିଜେପି ବିରୋଧରେ ପ୍ରଚାର କରିବା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରିବେ ବୋଲି କହିଥିଲେ। ମମତାଙ୍କ ବିଧାନସଭା ଆସନ ନନ୍ଦିଗ୍ରାମରେ ରାକେଶ ଟିକାୟତ ମହାପଞ୍ଚାୟତ ରାଲି କରି କେନ୍ଦ୍ର ସରକାର ତଥା ବିଜେପି ବିରୋଧରେ ହୁଙ୍କାର ଭରିବେ ବୋଲି ଜଣାପଡ଼ିଛି। କହିରଖୁଛୁ ଏହି ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଉଭୟ ମମତା ଏବଂ ଶୁଭେନ୍ଦୁ ପରସ୍ପରକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ଅନ୍ୟପଟେ ବିମାନ ବନ୍ଦରରେ ରାକେଶ ଟିକାୟତ କହିଛନ୍ତି, ସେ କିଷାନ ରାଲି କରିବେ। ଚାଷୀଙ୍କୁ ତିନି ଆଇନ କେତେ ଚାଷୀଙ୍କ ସ୍ୱାର୍ଥରେ କହିବେ। ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଭୋଟ୍ ଦେବାକୁ କହିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ନନ୍ଦିଗ୍ରାମକୁ ଯିବି। ଯେଉଁଠାରେ ଚାଷୀଙ୍କୁ କହିବି ବିଜେପି କିପରି ଚାଷୀଙ୍କୁ ଲୁଟ କରୁଛି। ଏମଏସପିରେ ଫସଲ କିଣୁନାହିଁ। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଯିବି, ଏଠି ବୁଲିବାରେ ପାସପୋର୍ଟ ଦରକାର କି? ବିଜେପିକୁ ଭୋଟ୍ ନଦେବାକୁ ନିବେଦନ କରିବି।”

ଚାଷୀ ଆନ୍ଦୋଳନ ଦିଲ୍ଲୀ ସୀମାରେ ସୀମିତ ଥିଲା। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ପାଖାପାଖି ୪ ମାସ ହେବ ଭାରତୀୟ କିଷାନ ୟୁନିଅନ୍ ଏବଂ ଅନ୍ୟାନ୍ୟ ସଂଗଠନ ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ କୃଷକଙ୍କ ଉଦ୍ଦେଶ୍ୟରେ ରାଲି କରିବାକୁ ଆସିଛନ୍ତି ବୋଲି ଟିକାୟତ କହିଛନ୍ତି। ଅନ୍ୟପଟେ ବିମାନବନ୍ଦରରେ ଟିଏମସି ଜୋରଦାର ସ୍ୱାଗତ କରିବାକୁ ନେଇ ପ୍ରଶ୍ନ ଉଠିଛି। ଏହା ରାକେଶ ଟିକାୟତଙ୍କ ମହାପଞ୍ଚାୟତ ନାଁ ଟିଏମସି ପ୍ରାୟୋଜିତ ମହାପଞ୍ଚାୟତ ତାକୁ ନେଇ ଆରମ୍ଭ ହୋଇଛି  ବିତର୍କ।

ସୂଚନାଯୋଗ୍ୟ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଚାଷୀଙ୍କ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଥିଲା। ଏମିତିକି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ବେଳେ ଚାଷୀ ନେତାଙ୍କ ସହ ଫୋନରେ ମମତା ବାନାର୍ଜୀ କଥା ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।