ରାମ ନବମୀରେ ହିଂସା: ୧୨ ବର୍ଷୀୟ ପିଲାକୁ ୨.୯ ଲକ୍ଷ ଦେବାକୁ ନୋଟିସ

ଭୋପାଲ: ରାମ ନବମୀ ବେଳେ ମଧ୍ୟପ୍ରଦେଶର ଖାରଗୋନରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଜଣେ ୧୨ ବର୍ଷୀୟ ପିଲାକୁ କ୍ଷତିପୂରଣ ପାଇଁ ନୋଟିସ କରାଯାଇଛି। ଏହି ପିଲାଟି ହିଂସା କାଣ୍ଡ ଘଟଣାରେ ସାମିଲ ଥିବା ଟ୍ରିବ୍ୟୁନାଲ କହିବା ସହ ତା’କୁ ୨.୯ ଲକ୍ଷ କ୍ଷତିପୂରଣ ବାବଦରେ ଅର୍ଥ ଦାଖଲ କରିବାକୁ ନୋଟିସ କରିଛନ୍ତି।

ନୋଟିସ ପରେ ପିଲାଟି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି। ତାକୁ କାଳେ ଗିରଫ କରାଯିବ, ସେହି ଭୟରେ ସେ କେବଳ ଥରିବାରେ ଲାଗିଛି। ଖାଲି ସେତିକି ନୁହେଁ, ଶ୍ରମିକ ଭାବେ କାମ କରୁଥିବା ପିଲାଟିର ବାପା କାଲୁ ଖାନଙ୍କୁ ମଧ୍ୟ ୪.୮ ଲକ୍ଷ ଟଙ୍କା ଜମା କରିବାକୁ ଘଟଣାର ବିଚାର କରୁଥିବା ସରକାରଙ୍କ ଟ୍ରିବ୍ୟୁନାଲ ନୋଟିସ କରିଛନ୍ତି।

ମଧ୍ୟପ୍ରଦେଶ ପ୍ରିଭେନସନ ଆଣ୍ଡ ରିକଭରି ଅଫ ଡାମେଜେସ ଟୁ ପବ୍ଲିକ ପ୍ରପୋର୍ଟି ଆକ୍ଟ ଗତ ବର୍ଷ ଡିସେମ୍ବର ମାସରେ ପାରିତ ହୋଇଥିଲା। ସମାନ ଆଇନ ବିଜେପି ଶାସିତ ଉତ୍ତର ପ୍ରଦେଶରେ ମଧ୍ୟ ଲାଗୁ ହୋଇଛି।

ମଧ୍ୟପ୍ରଦେଶରେ ଏହି ଆଇନ ବଳରେ ରାମ ନବମୀ ହିଂସାକାଣ୍ଡ ଘଟଣାର ମଧ୍ୟ ନୋଟିସ ହୋଇଛି। ରାମ ନବମୀ ହିଂସା ପରେ ସରକାର ଗଠନ କରିଥିବା ଟ୍ରିବ୍ୟୁନାଲ ୩୪୩ଟି ଅଭିଯୋଗ ପାଇଥିଲେ। ଏହା ମଧ୍ୟରୁ କେବଳ ୩୪ଟିକୁ ବିଚାର ପାଇଁ ଗ୍ରହଣ କରାଯାଇଥିଲା। ଏଯାଏ ୬ଟି ଅଭିଯୋଗର ବିଚାର ସରିଛି। ୪ଟି ହିନ୍ଦୁ ପକ୍ଷ ଓ ୨ଟି ମୁସଲିମ ପକ୍ଷ ମାମଲାର ବିଚାର କରି ୫୦ ଜଣଙ୍କ ଠାରୁ ୭.୪୬ ଲକ୍ଷର ଜୋରିମାନା ଆଦାୟ ହୋଇଛି।

୧୨ ବର୍ଷୀୟ ବାଳକର ମାମଲାକୁ ଏବେ ଆସିବା। ଜଣେ ମହିଳା ଦାବି କରିଛନ୍ତି ଯେ ଏପ୍ରିଲ ୧୦ ରାମ ନବମୀ ଶୋଭାଯାତ୍ରା ବେଳେ ଗୋଟିଏ ଭିଡ଼ ତାଙ୍କ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ। ଏହାର ବିଚାର କରି ଟ୍ରିବ୍ୟୁନାଲ ୧୨ ବର୍ଷୀୟ ପିଲାକୁ ୨.୯ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାଖଲ କରିବାକୁ ନୋଟିସ କରିଛନ୍ତି। ପିଲାଟିର ପଡ଼ୋଶୀ ଭାବେ ରହୁଥିବା ଲୋକମାନେ ତା’ ନାଁରେ ଅଭିଯୋଗ କରିଥିଲେ।

ସେ ରାମ ନବମୀ ହିଂସା ବେଳେ ଚୋରି କରିବା ସହ ସମ୍ପତ୍ତି ଭଙ୍ଗାରୁଜା କରିଥିଲା। ପିଲାଟିର ବାପା ମଧ୍ୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ। ତେଣୁ ବାପପୁଅଙ୍କ ବ୍ୟତୀତ ଅନ୍ୟ ୬ ଜଣଙ୍କୁ ମଧ୍ୟ ସମାନ ଘଟଣାରେ କ୍ଷତିପୂରଣ ପାଇଁ ନୋଟିସ କରାଯାଇଛି।

କାଲୁ ଖାନ କହିଛନ୍ତି, “ମୋ ପୁଅ ନାବାଳକ। ଦଙ୍ଗା ବେଳେ ଆମେ ଶୋଇଥିଲୁ। ଆମେ ନ୍ୟାୟ ଚାହୁଁଛୁ।” ତାଙ୍କ ପତ୍ନୀ ରାନୁ କହିଛନ୍ତି ପୁଲିସର ଗିରଫଦାରୀ ବୟରେ ତାଙ୍କ ପୁଅ ଭୟରେ ଘରକୁ ବାହାରୁ ନାହିଁ। ଟ୍ରିବ୍ୟୁନାଲର ନୋଟିସ ପରେ ଖାନ ପରିବାର ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ସେପ୍ଟେମ୍ବର ୧୨ରେ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।

ହାଇକୋର୍ଟ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିବାକୁ କହିଥିଲେ। ପରିବାର ଲୋକ ଓ ନାବାଳକ ଜଣଙ୍କ ଟ୍ରିବ୍ୟୁନାଲଙ୍କ ନିକଟରେ ଆପତ୍ତି ଜଣାଇଥିଲେ। ହେଲା ମଧ୍ୟ ଖାରଜ ହୋଇଥିବା ଜଣାପଡ଼ିଛି। ଏବେ ଟଙ୍କା କେମିତି ପୈଠ କରିବେ, ସେ ଚିନ୍ତାରେ ଖାନ ପରିବାର ଚିନ୍ତାରେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।